ଭୁବନେଶ୍ୱର: ଓଡ଼ିଶାର ଆଉ ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ଛଡ଼ାଇ ନେଇଛି ମହାମାରୀ କରୋନା । ବିଶିଷ୍ଟ ଅର୍ଥନୀତିଜ୍ଞ, ପରିବେଶବିତ୍, ବିକାଶ ଗୁରୁ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଆଉ ନାହାନ୍ତି । ଗୁରୁତର ଅବସ୍ଥାରେ ସମ୍ ହସ୍ପିଟାଲ୍ ରେ ଚିକିତ୍ସିତ ଥିବା ବେଳେ ଆଜି ସକାଳୁ ଆଖି ବୁଜିଦେଇଛନ୍ତି । ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।
ନୟାଗଡ଼ ଜିଲ୍ଲା ରାଗିଣୀ ପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ରାଧାମୋହନ ଜଣେ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟରୁ ପ୍ରୟୋଗାତ୍ମକ ଅର୍ଥନୀତିରେ ଏମଏ ପାସ୍ କଲା ପରେ ସେ ଅଧ୍ୟାପନା କରିଥିଲେ । ପରବର୍ତ୍ତୀ ସମୟରେ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ୨୦୦୧ ରେ ପୁରୀ ଏସସିଏସ୍ କଲେଜ ଅଧ୍ୟକ୍ଷ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।
କେବଳ ଶିକ୍ଷା ନୁହେଁ, କୃଷି ଓ ପରିବେଶ ଉପରେ ତାଙ୍କର ଗଭୀର ଅଧ୍ୟୟନ ଥିଲା । ଜୈବିକ ଚାଷରେ ସେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ । “ସମ୍ଭବ’ ନାମକ କ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଢ଼ି ନିଜର କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ କମିଟି ଏବଂ ଅନୁଷ୍ଠାନରେ ସେ ସଦସ୍ୟ ରହିଥିଲେ । ସୂଚନା କମିଶନର ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ଅସାଧାରଣ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେ ଉକ୍ରଳ ସେବା ସମ୍ମାନ ପାଇଥିବା ବେଳେ ଭାରତ ସରକାରଙ୍କ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ ।
ପ୍ରଫେସର ରାଧାମୋହନଙ୍କ ବିୟୋଗ ଓଡ଼ିଶା ପାଇଁ ଅଶେଷ କ୍ଷତି ଆଣିଛି । ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇଦେଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ସବୁ ଦଳର ନେତୃବୃନ୍ଦ, ପ୍ରତିଷ୍ଠିତ ବ୍ୟକ୍ତି ଵିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।