ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଆଉ ଇହଜଗତରେ ନାହାନ୍ତି । ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡ଼ିଶାର ଘରେ ଘରେ ପରିଚିତ ସଙ୍ଗୀତ ଜଗତର ଏହି ବାଦଶାହଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ସଙ୍ଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।
ବୟସାଧିକ କାରଣ ଯୋଗୁଁ ଶ୍ରୀଯୁକ୍ତ କର ବେଳେ ବେଳେ ଅସୁସ୍ଥ ରହୁଥିଲେ । କିଛି ଦିନ ତଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲ୍ ଯାଇ ଫେରିଥିଲେ । ଆଜି ସତ୍ୟନଗର ବାସଭବନରେ ସେ ଖାଇପିଇ ଶୋଇଥିବା ବେଳେ ରାତି ସାଢ଼େ ୯.୩୦ ବେଳକୁ ହଠାତ୍ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯାଇଥିଲା । ପୁଅ ମହାଦୀପ କରଙ୍କଠାରୁ ଗଣମାଧ୍ୟମ ତାଙ୍କ ମୃତ୍ୟୁ ଖବର ଜାଣିବାକୁ ପାଇଥିଲା ।
ଦୀର୍ଘ ଦଶନ୍ଧୀ ଧରି ଓଡ଼ିଆ ସଙ୍ଗୀତ ଜଗତରେ ରାଜ କରିଥିବା ପ୍ରଫୁଲ୍ଲ କର ଏକାଧାରରେ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଓ ଗାୟକ ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲେ । ଚଳଚ୍ଚିିତ୍ର ସଙ୍ଗୀତଠାରୁ ଆରମ୍ଭ କରି ଆଧୁନିକ ସଙ୍ଗୀତ ଓ ଭଜନରେ ସେ ଏକ ସ୍ୱତନ୍ତ୍ର ଧାରାର ପ୍ରବର୍ତ୍ତକ ଥିଲେ । ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତରେ ସେ ଥିଲେ ପ୍ରବୀଣ । ତାଙ୍କର ସବୁ ଗୀତଗୁଡ଼ିକ କାଳଜୟୀ ହୋଇ ରହିଛି । ପ୍ରଫୁଲ୍ଲ କର ଓଡ଼ିଆ ସଙ୍ଗୀତ ଜଗତକୁ ଏକ ନୂଆ ସୋପାନରେ ପହଞ୍ଚାଇଥିଲେ । କେବଳ ସଙ୍ଗୀତ ନୁହେଁ, ସାହିତ୍ୟରେ ମଧ୍ୟ ତାଙ୍କର ପ୍ରବଳ ଦଖଲ ଥିଲା । ଜଣେ ବିଶିଷ୍ଟ ସ୍ତମ୍ଭକାର ଭାବରେ ସେ ସୁଖ୍ୟାତି ଅର୍ଜନ କରିଥିଲେ ।
ଭାରତ ସରକାରଙ୍କ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଏବଂ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଚଳଚିତ୍ର ସମ୍ମାନ ଜୟଦେବ ପୁରସ୍କାର ସମେତ ଅନେକ ପୁରସ୍କାରରେ ସେ ସମ୍ମାନିତ ହୋଇଥିଲେ । ୮ ଥର ଶ୍ରେଷ୍ଠ ସଙ୍ଗୀତକାର ପୁରସ୍କାର ପାଇଥିଲେ ସେ ।
ସୋମବାର ଦିନ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।