ଭୁବନେଶ୍ୱର: ମହାନ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ହେଉଛି ୨୫ତମ ଶ୍ରାଦ୍ଧ ଦିବସ । ଏହି ମହାନ୍ ବ୍ୟକ୍ତିଙ୍କୁ ରାଜ୍ୟବାସୀ ମନେ ପକାଇବା ସହ ଦଳମତ ନିର୍ବିଶେଷରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସାରା ରାଜ୍ୟରେ ବିଜେଡି ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜିର ଦିବସକୁ ସେବା ଦିବସ ଭାବେ ପାଳନ କରାଯାଉଛି ।
ଆଜି ସକାଳେ ରାଜ୍ୟ ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟର ପ୍ରଗତି ସହ ଲୋକଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ବିଜୁବାବୁଙ୍କ ଅବଦାନର ସେ ସ୍ମୃତିଚାରଣ କରିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ସମେତ ଅନ୍ୟମାନେ ସେଠାରେ ଉପସ୍ଥିତ ଥିଲେ ।
ବିଜେଡି ପକ୍ଷରୁ ବିନ୍ଦୁସାଗର କୂଳରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ଫରେଷ୍ଟ ପାର୍କରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଏବଂ ବିମାନବନ୍ଦର ପ୍ରବେଶ ଦ୍ୱାରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ମେୟର ସୁଲୋଚନା ଦାସ, ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ଦଳର ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।







