ଭୁୁବନେଶ୍ୱର: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ତାଙ୍କ ଘରୁ ଠାବ ହୋଇଥିବା କୋଟି କୋଟି ନଗଦ ଟଙ୍କା ସମସ୍ତଙ୍କୁ ଚକିତ କରିଦେଇଛି । ଭୁବନେଶ୍ୱର ଓ ନବରଙ୍ଗପୁର ଘରୁ ୩ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ଗଣ୍ଡା ଗଣ୍ଡା ପେଟିରେ ଥାକ ମରାହୋଇଥିବା ଏହି ଟଙ୍କାକୁ ବାବୁ ପଡୋଶୀ ଘର ଛାତକୁ ଫିଙ୍ଗି ଭିଜିଲାନସ୍ ଆଖିରୁ ଖସିଯିବାକୁ ଉଦ୍ୟମ କରିଥିଲେ । ମାତ୍ର ତାହା ସମ୍ଭବ ହୋଇନାହିଁ ।

ଏହି ବାବୁଙ୍କର ଭୁବନେଶ୍ୱର ଓ ନବରଙ୍ଗପୁର ଘରୁ ୩ କୋଟି ୩ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିବା ବେଳେ ଦୁଇଟି ବେନାମୀ ବ୍ୟାଙ୍କ ଆକାଉଣ୍ଟରେ ୩୮ ଲକ୍ଷ ୬୪ ହଜାର ଟଙ୍କା ଅଛି । ଏହି ଦୁଇଟିକୁ ମିଶାଇ ତାଙ୍କର ୯୨ ଲକ୍ଷ ୩୪ ହଜାର ଟଙ୍କା ବ୍ୟାଙ୍କ ଜମା ଥିବା ବେଳେ ଦୁଇ ପିଲାଙ୍କ ପାଠପଢ଼ା ବାବଦରେ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହାଛଡ଼ା ଘରୁ ଅଧଡର୍ଜନ ବେନାମୀ ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍ କାର୍ଡ, ଜମିବାଡ଼ି କାଗଜପତ୍ର ଜବତ କରାଯାଇଛି । ଏସବୁର ଆକଳନ ଜାରି ରହିଛି ।

ବାବୁଙ୍କର ଭୁବନେଶ୍ୱର କାନନବିହାରରେ ବିରାଟ ଅଟ୍ଟାଳିକା ଅଛି । ଏହାର ମୂଲ୍ୟ କୋଟିଏରୁ ଅଧିକ ହେବ । ଏହାଛଡ଼ା ଭୁବନେଶ୍ୱର, କଟକରେ ୪ ଟି ପ୍ଲଟ୍ ଏବଂ ଉମରକୋଟରେ ଗୋଟିଏ ପ୍ଲଟ୍ ଏ ପର୍ଯ୍ୟନ୍ତ ଠାବ କରାଯାଇଛି । ପାଖାପାଖି ୫୦ ଲକ୍ଷ ମୂଲ୍ୟର ଦୁଇଟି ଦାମୀ କାର୍ ଚଢ଼ୁଛନ୍ତି । ସେଥିରୁ ଇନୋଭା କାର୍ ଟି ର କାଗଜପତ୍ର ଠିକ୍ ନାହିଁ । ଟଙ୍କା ନେବା ଆଣିବାରେ ବାବୁ ଏହାକୁ ବ୍ୟବହାର କରୁଥିଲେ ବୋଲି ସନ୍ଦେହ କରାଯାଉଛି । ପ୍ରାୟ ୨୮ ଲକ୍ଷ ମୂଲ୍ୟର ଆସବାବପତ୍ର ଓ ସୁନା ଅଳଙ୍କାର ରଖିଛନ୍ତି ।








