ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି । ଚିକିତ୍ସା ପାଇଁ ଅପରାହ୍ନ ୫ଟା ୧୫ ମିନିଟ୍ ରେ ତାଙ୍କୁ ସମ୍ ଅଲଟିମେଟରେ ଭର୍ତ୍ତି କରାଯାଇଛି । ତାଙ୍କର ଡିହାଇଡ୍ରେସନ୍ ହୋଇଛି ଏବଂ ଡାକ୍ତର ଆଲୋକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଚିକିତ୍ସାରେ ଭଲ ଭାବେ ସୁସ୍ଥ ହେଉଛନ୍ତି ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ।
ଶୁକ୍ରବାର ସଂଧ୍ୟାରେ ନବୀନ ଅସୁସ୍ଥ ଅନୁଭବ କରିବାରୁ ଏକ ଡାକ୍ତରୀ ଟିମ୍ ନବୀନ ନିବାସ ଆସି ତାଙ୍କର ପରୀକ୍ଷା କରିଥିଲେ । ତାଙ୍କୁ ହସ୍ପିଟାଲ୍ ଆଣିବା ପାଇଁ ପରାମର୍ଶ ଦେବା ପରେ ଆମ୍ବୁଲାନସ୍ ପହଞ୍ଚିଥିଲା । ମାତ୍ର କଥା ପ୍ରଘଟ ହୋଇଯିବା ଆଶଙ୍କାରେ ନବୀନ ନିବାସ ପକ୍ଷରୁ ଶେଷ ମୁହୂର୍ତ୍ତରେ ତାଙ୍କୁ ହସ୍ପିଟାଲ୍ ନ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଆଜି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ହସ୍ପିଟାଲ୍ ଆଣିବାକୁ ବାଧ୍ୟ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଜୁନ୍ ୨୨ରେ ନବୀନ ପଟ୍ଟନାୟକଙ୍କର ସର୍ଭାଇକାଲ ଆଥ୍ରାଇଟିସ୍ ଅପରେସନ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହୋଇଥିଲା । ସେଠାରେ ୨୧ ଦିନ ରହିବା ପରେ ସୁସ୍ଥ ହୋଇ ଜୁଲାଇ ୧୨ରେ ଭୁବନେଶ୍ୱର ଫେରିଥିଲେ । ତେବେ ସେବେଠାରୁ ନବୀନ ନିବାସରେ ସେ କାହାରିକୁ ଭେଟୁନାହାନ୍ତି । ଦଳର ବରିଷ୍ଠ ନେତାମାନେ ମଧ୍ୟ ତାଙ୍କୁ ଦେଖିବାର ସୁଯୋଗ ପାଉନାହାନ୍ତି ।