ଭୁବନେଶ୍ୱର: ମିଛ ପ୍ରତିଶ୍ରୁତି ଦେଇ, ମିଛ କାହାଣୀ କହି ବିଜେପି ଆଜି ଶାସନକୁ ଆସିଛି । ୩୦୦ ୟୁନିଟ୍ ମାଗଣା ବିଜୁଳି ପାଉଛନ୍ତି କି? ୩ ହଜାର ଟଙ୍କା ଭତ୍ତା କୁଆଡ଼େ ଗଲା? ନିର୍ବାଚନ ବେଳେ ହାତୀ ଦେବୁ, ଘୋଡ଼ା ଦେବୁ କହି ଭୋଟ୍ ନେଲେ । ଏବେ ବିଜେପିର ମିଛ ଧରାପଡ଼ିଯାଇଛି । ଦରଦାମ ବଢ଼ି ଚାଲିଛି । ମା’ ମାନେ ଥାନାରେ ବି ସୁରକ୍ଷିତ ନୁହଁନ୍ତି । ସରକାରୀ କର୍ମଚାରୀ ରାଜଭବନରେ ସୁରକ୍ଷିତ ନୁହଁନ୍ତି । ଏ ବିଜେପି ସରକାର ଉପରେ ଲୋକ ଭରସା କରିପାରୁନାହାନ୍ତି । ମିଛ କହି ନିର୍ବାଚନ ଜିତି ପାରନ୍ତି । ମାତ୍ର ଲୋକଙ୍କ ହୃଦୟ ନୁହେଁ । ମିଛ ହେଉଛି ବିଜେପିର ପରିଚୟ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଏଭଳି ଭାଷାରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ବଡ଼ଗଡ଼ ବ୍ରିଟ୍ କଲୋନୀସ୍ଥିତ ନେତାଜୀ ଖେଳ ପଡ଼ିଆଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଅବସରରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ନବୀନ କହିଥିଲେ, ଲୋକଙ୍କର ଭରସା ଏବଂ ଭଲ ପାଇବା ହେଉଛି ବିଜେଡିର ବଡ଼ ପୁଞ୍ଜି । ୨୦୨୪ ନିର୍ବାଚନରେ ବିଜେପି ଜିତି ସରକାର ଗଢ଼ିଥାଇପାରେ । ମାତ୍ର ବିଜେପିଠାରୁ ବିଜେଡି ଅଧିକ ଭୋଟ ପାଇଛି । ଆମେ ଲୋକଙ୍କର ସେବା ଜାରି ରଖିବୁ ଏବଂ ଆମର ଲକ୍ଷ ଲକ୍ଷ କର୍ମୀ ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ଏବଂ ବିଜେପିର ମିଛ ପ୍ରତିଶ୍ରୁତି ଏବଂ ଅପାରଗତା ପଦାକୁ ଆଣିବେ । ବିଜେଡି ଲୋକଙ୍କ ହୃଦୟରେ ଅଛି ଏବଂ ସବୁବେଳେ ରହିଥିବ ।
ନବୀନ ତାଙ୍କ ଭାଷଣରେ କହିଥିଲେ, ଲୋକଙ୍କ ସହ ଯୋଡ଼ି ହେବା ପାଇଁ ପଦଯାତ୍ରା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଆମେ ସବୁବେଳେ ଲୋକଙ୍କ ସୁଖଦୁଃଖରେ ଲୋକଙ୍କ ସାଥୀରେ ରହି ଆସିଛୁ । ସେବା ଓ ସ୍ୱାଭିମାନ ହେଉଛି ଆମର ମନ୍ତ୍ର । ବିକାଶ ଆମର ପରିଚୟ । ବିଜୁ ଜନତା ଦଳ କାମରେ ବିଶ୍ୱାସ କରେ ।
ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ଓଡ଼ିଶାର ବିକାଶ ପାଇଁ ଅନେକ କାମ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପୁଞ୍ଜି ବିନିଯୋଗ, ଉତ୍ତମ ପ୍ରଶାସନ, ଏସସି/ଏସଟି ବର୍ଗର କଲ୍ୟାଣ, ମହିଳା, ଯୁବକ, ଚାଷୀ ସମସ୍ତଙ୍କ ସଶକ୍ତିକରଣ ଆଦି ସବୁ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ହୋଇଛି । ଅର୍ଥନୈତିକ ସ୍ଥିିରତା ଆସିଛି । ଓଡ଼ିଶାର ଗରିବୀ ୨୦୦୦ ମସିହାରେ ୭୦% ଥିବା ବେଳେ ଆଜି ଏହା ୧୦%କୁ ଖସିଛି । ଆମ ଲୋକଙ୍କ ମୁଣ୍ଡପିଛା ଆୟ ବଢ଼ିଛି । ଅନେକ ଡବଲ ଇଞ୍ଜିନ ରାଜ୍ୟମାନଙ୍କଠାରୁ ମଧ୍ୟ ଓଡ଼ିଶା ଆଗରେ ଅଛି ।
ବିକାଶର ସବୁ କ୍ଷେତ୍ରରେ ଆଜି ଓଡ଼ିଶା ଭଲ ସ୍ଥିତିରେ ରହିଛି । ଆମ ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୋଟି କୋଟି ଲୋକ ଉପକାର ପାଉଥିଲେ । ଏବେ ସରକାର ସେ ଯୋଜନାର ନାମ ପରିବର୍ତ୍ତନ କରିଦେଇଛନ୍ତି । ଆପଣ ନାଁ ବଦଳେଇ ପାରନ୍ତି । ଆପଣ ରଙ୍ଗ ବଦଳେଇପାରନ୍ତି । କିନ୍ତୁ ଇତିହାସ ବଦଳେଇ ପାରିବେନି । ଲୋକ ସବୁ ଜାଣନ୍ତି । ମିଛ କହି ନିର୍ବାଚନ ଜିତିପାରନ୍ତି । କିନ୍ତୁ ଲୋକଙ୍କ ହୃଦୟ ନୁହେଁ ।
ମୁୁଁ କ୍ଷମତାରେ ଥାଏ ବା ନ ଥାଏ, ଆପଣମାନଙ୍କର ସେବା ମୁଁ ସବୁବେଳେ କରି ଆସିଛି ଏବଂ ଶେଷ ପର୍ଯ୍ୟନ୍ତ ଓଡ଼ିଶା ମାଟିର, ଓଡ଼ିଶାବାସୀଙ୍କ ସେବା କରି ଚାଲିବି ବୋଲି ନବୀନ କହିଥିଲେ ।
ଅନ୍ୟପକ୍ଷରେ ନବୀନ ପଟ୍ଟନାୟକଙ୍କର ଆକ୍ରମଣର ଜବାବ ଦେଇଛି ବିଜେପି । ଦଳର ମୁଖପାତ୍ର ମନୋଜ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ନବୀନ ବାବୁ ୧୦୦ ଦିନର ବିଜେପି ସରକାରକୁ ଟାର୍ଗେଟ୍ କରିବା ଲଜ୍ଜାଜନକ । ନିଜର ୨୪ ବର୍ଷର କୁଶାସନକୁ ନବୀନ ବାବୁ ଭୁଲିଯାଉଛନ୍ତି । ବିଜେପି ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି ବୋଲି ସେ କହିଛନ୍ତି ।