ଭୁୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ, ନବରଙ୍ଗପୁର ଆଦି ଜାଗାରେ ନିର୍ବାଚନ ପ୍ରଚାର କରିଛନ୍ତି । ତାଙ୍କ ପ୍ରଚାରରେ ଆଜି ନିଆରା ଢ଼ଙ୍ଗ ଦେଖିବାକୁ ମିଳିଥିଲା । କୋରାପୁଟର ଓଏମପି ପଡ଼ିଆରେ ଆୟୋଜିତ ପ୍ରଚାର ସଭାରେ ଲମ୍ବା ଲମ୍ବା ଭାଷଣ ନ ଥିଲା କି କାହାରିକୁ କଟୁ ସମାଲୋଚନା ନ ଥିଲା । ସେହିଭଳି ବ୍ୟକ୍ତିଗତ ଆରୋପ କି ଆକ୍ଷେପ ନ ଥିଲା । ମୁଖ୍ୟମନ୍ତ୍ରୀ ତାଙ୍କ ନିଜସ୍ୱ ଷ୍ଟାଇଲରେ ମାତ୍ର ଗୋଟିଏ ମିନିଟରେ ପ୍ରଚାର ସାରିଥିଲେ । ଲୋକଙ୍କୁ କାମର ହିସାବ ଦେଇ ସେମାନଙ୍କ ମତାମତ ଲୋଡ଼ିଥିଲେ ।
ଉପସ୍ଥିତ ବିଶାଳ ଜନସମୁଦ୍ରର ହର୍ଷ ଉଲ୍ଲାସ ଓ କରତାଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ୭ଟି ପ୍ରଶ୍ନ। ଆମର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଚାଲିଛି ? ମମତା ଯୋଜନା ଭଲ ଚାଲିଛି ? ମିଶନ ଶକ୍ତି, ନୂଆ-ଓ ସ୍କଲାରସିପ୍, କାଳିଆ ଯୋଜନା, ପୁରୀ ପରିକ୍ରମା ପ୍ରକଳ୍ପ ଆଦି ସବୁ କାମ ଭଲ ଚାଲିଛି ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରତି ପ୍ରଶ୍ନରେ ଜନତା ବହୁତ ଖୁସି ଓ ଉତ୍ସାହିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖି ସେମାନଙ୍କର ଆନନ୍ଦ ସ୍ପଷ୍ଟ ପରିଲକ୍ଷିତ ହେଉଥିଲା । ଏ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ମୃଦୁ ସମାଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିରୋଧୀ ଦଳ ମାନେ ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି । ଆପଣମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମାନଙ୍କୁ ଜିତାନ୍ତୁ ।
ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଥିଲେ ନବୀନ ପଟ୍ଟନାୟକ ଆପଣଙ୍କ ପାଇଁ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି, ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ, ଯୋଡି ଶଙ୍ଖରେ ଭୋଟ ଦିଅନ୍ତୁ ।
ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକା, ଲକ୍ଷ୍ମୀପୁର ବିଧାନସଭା ପ୍ରାର୍ଥୀ ପ୍ରଭୁ ଜାନି, ପଟାଙ୍ଗୀ ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀ, ଜୟପୁର ବିଧାନସଭା ପ୍ରାର୍ଥୀ ଇନ୍ଦିରା ନନ୍ଦ ଓ କୋରାପୁଟ ବିଧାନସଭା ପ୍ରାର୍ଥୀ ରଘୁରାମ ପଡ଼ାଲ ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ ।








