ଭୁବନେଶ୍ୱର: ମାସାଧିକ କାଳ ଦିଲ୍ଲୀରେ ରହିବା ପରେ ଆଜି ସଂଧ୍ୟାରେ ନବୀନ ନିବାସ ଫେରି ଆସିଛନ୍ତି ନବୀନ ପଟ୍ଟନାୟକ । ସେପ୍ଟେମ୍ବର ୭ରେ ସେ ଦିଲ୍ଲୀ ଯାଇଥିଲେ । ରାଜନୀତିରେ ପ୍ରବେଶ ପରେ ପ୍ରଥମ ଥର ପାଇଁ ଏତେ ଲମ୍ବା ସମୟ ଧରି ଓଡ଼ିଶା ବାହାରେ ଥିଲେ । ସମ୍ପୂର୍ଣ୍ଣ ବିଶ୍ରାମ ପାଇଁ ସେ ଦିଲ୍ଲୀ ଯାଇଥିଲେ ବୋଲି କୁହାଯାଉଛି ।
ଏହା ପୂର୍ବରୁ ଓଡ଼ିଶା ବାହାରେ ନବୀନଙ୍କ ଲମ୍ବା ରହଣିର ଅବଧି ଥିଲା ୨୧ ଦିନ । ସର୍ଭିକାଲ୍ ଆଥ୍ରାଇଟିସ୍ ଚିକିତ୍ସା ପାଇଁ ସେ ଜୁନ୍ ୨୦ରେ ମୁମ୍ବାଇ ଯାଇଥିଲେ । ୨୨ ତାରିଖରେ ତାଙ୍କର ଅପରେସନ୍ ହୋଇଥିଲା । ଜୁଲାଇ ୭ ରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଜୁଲାଇ ୧୨ ରେ ଓଡ଼ିଶା ଫେରିଥିଲେ । ନବୀନ ନିବାସରେ ସେ ବିଶ୍ରାମ ନେଉଥିଲା ବେଳେ ଡିହାଇଡ୍ରେସନ୍ କାରଣରୁ ଅଗଷ୍ଟ ୧୭ ରେ ଭୁବନେଶ୍ୱରର ସମ୍ ଅଲଟିମେଟ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୪ ଦିନ ଲାଗିଥିଲା । ନବୀନ ନିବାସରେ ବିଶ୍ରାମ ନେଉଥିଲା ବେଳେ ସେପ୍ଟେମ୍ବର ୭ରେ ଦିଲ୍ଲୀ ଚାଲିଗଲେ । କେବେ ଫେରିବେ କାହାରିକୁ ଜଣା ନ ଥିଲା ।
ଦିଲ୍ଲୀର ଡକ୍ଟର ଏପିଜେ ଅବଦୁଲ କାଲାମ (ଔରଙ୍ଗଜେବ) ରୋଡ୍ ସ୍ଥିତ ନିଜର ପୈତୃକ ଘରେ ସେ ଅବସ୍ଥାନ କରୁଥିଲେ । ୩୪ ଦିନର ରହଣି କାଳରେ ତାଙ୍କୁ କେତୋଟି ସାମାଜିକ/ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଖାନ୍ ମାର୍କେଟ୍ ଯାଇ ବହି କିଣାକିଣି କରିଥିଲେ । କିଛି ପୁରୁଣା ବନ୍ଧୁଙ୍କୁ ଭେଟିଥିଲେ । ତେବେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା ।
ନବୀନ ପଟ୍ଟନାୟକ କେବଳ ବିଜେଡିର ସଭାପତି ନୁହଁନ୍ତି, ସେ ହେଉଛନ୍ତି ବିରୋଧୀ ଦଳ ନେତା । ମାତ୍ର ତାଙ୍କ ଅନୁପସ୍ଥିତିରେ ସରିଗଲା ବିଧାନସଭାର ମୌସୁମୀ ଅଧିବେସନ । ରାଜ୍ୟରେ ବିଗିଡ଼ି ଯାଇଥିବା ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନବୀନଙ୍କ ପାଟିରୁ କଥା ପଦେ କେହି ଶୁଣିଲେନି । ରାଜ୍ୟରେ ପ୍ରତିଦିନ ବହୁ ଅଘଟଣ ଘଟି ଚାଲିଥିଲେ ମଧ୍ୟ ଟୁଇଟରରେ ସୀମିତ ରହିଲା ତାଙ୍କର ପ୍ରତିକ୍ରିୟା । କଟକରେ ସାମ୍ପ୍ରଦାୟିକ ହିଂସା ଓ ଏସଆଇ ପରୀକ୍ଷା ଗଫଲତିକୁ ନେଇ ରାଜ୍ୟ ଥରହର ହେଉଥିବା ବେଳେ ନବୀନ ଟୁଇଟରରେ ସୀମିତ ରହିଗଲେ । ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ପ୍ରସଙ୍ଗରେ ବି ସମାନ କଥା ଘଟିଲା ।
ମୋଟାମୋଟି ଭାବେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଚାକିରି ଘୋଟାଲା, ସାମ୍ପ୍ରଦାୟିକ ହିଂସା ବେଳେ ବିରୋଧୀ ଦଳ ନେତା ଦିଲ୍ଲୀରେ ଚୁପ୍ ବସି ରହିଲେ । ବିଜେଡିର ସବୁଠାରୁ ବଡ଼ କାର୍ଯ୍ୟକ୍ରମ, ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭରେ ମଧ୍ୟ ସାମିଲ ହେଲେ ନାହିଁ । ଆଗକୁ ନୂଆପଡ଼ା ଉପନିର୍ବାଚନ ଥିଲା ବେଳେ ଏଯାଏ ନବୀନ ନିବାସର ତତ୍ପରତା ଅନୁଭବ ହୋଇନି । ନୂଆପଡ଼ା ଉପନିର୍ବାଚନ ବିଜେଡି ପାଇଁ କେବଳ ସମ୍ମାନର ପ୍ରଶ୍ନ ନୁହେଁ, ଦଳର ଭବିଷ୍ୟତ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । ମାତ୍ର ନବୀନଙ୍କଠାରେ ତାହାର ଗୁରୁତ୍ୱ ଅନୁଭବ ନ କରି ଦଳୀୟ ନେତା ଓ କର୍ମୀମାନେ ନିରୁତ୍ସାହିତ ଅଛନ୍ତି ।
ଯଦିଓ ନବୀନଙ୍କ ଅନୁପସ୍ଥିତିରେ ଦଳ ପକ୍ଷରୁ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ମାତ୍ର ତାହା ସେଭଳି ଦାନା ଧରିନାହିଁ । ଶଙ୍ଖ ଭବନରେ ମାସିକିଆ ଦରମାପ୍ରାପ୍ତ ମୁଖପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀକୁ କେହି ଗୁରୁତ୍ୱ ଦେଇନାହାନ୍ତି । ସେମାନଙ୍କ ମୁହଁ ଦେଖିଲେ ଲୋକ ଚିଡୁଛନ୍ତି । ଦଳର ବରିଷ୍ଠ ନେତାମାନେ ପାଳି ତୁଲୋଉଥିଲେ ମଧ୍ୟ ସେମାନଙ୍କ ମୁହଁରେ ସରସ ନାହିଁ ।
ଚିକିତ୍ସା ପାଇଁ ମୁମ୍ବାଇ ଗଲା ବେଳେ ଦେବୀ ମିଶ୍ରଙ୍କୁ ସଂଗଠନ ସମ୍ଭାଳିବା ଦାୟିତ୍ୱ ଦେଇଥିଲେ । ମାତ୍ର ଏଥର ମାସାଧିକ କାଳ ଦିଲ୍ଲୀରେ ରହିଥିଲେ ମଧ୍ୟ ନା ସେଠାରୁ ନିଜେ କିଛି ବୁଝିଥିଲେ ନା ଅନ୍ୟ କେଉଁ ନେତାଙ୍କୁ ଦାୟିତ୍ୱ ଛାଡ଼ିଥିଲେ । ଯାହା ହଉଥିଲା ସେଇ ଅଦୃଶ୍ୟ ଇସାରାରେ ।
ବିଶ୍ରାମ ନେଇ ଫେରିଥିବାରୁ ନବୀନଙ୍କ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଏବେ ସମସ୍ତଙ୍କ ନଜର । ନବୀନ ବାବୁ ନିଜର ତ୍ରୁଟି ସଂଶୋଧନ କରି ଦଳ ଆଗକୁ ନେବେ ବୋଲି ବରିଷ୍ଠ ନେତାମାନେ କାମନା କରିଛନ୍ତି ।