ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ଲୋକପ୍ରିୟତାର ଶୀର୍ଷ ପରିଚୟରେ ସମଗ୍ର ଭାରତବର୍ଷର ଅଦ୍ୱିତୀୟ ନେତା । କୋଟି କୋଟି ଓଡ଼ିଆଙ୍କ ହୃଦୟର ମଉଡ଼ମଣି । କ୍ରମାଗତ ୫ ଥରର ମୁଖ୍ୟମନ୍ତ୍ରୀ । ସଫଳତାର ଏହି ମହାନାୟକ ନବୀନ ପଟ୍ଟନାୟକଙ୍କର ଆଜି ହେଉଛି ଜନ୍ମଦିନ । ତାଙ୍କୁ ୭୫ ବର୍ଷ ପୂରି ୭୬ ଚାଲିଲା । ଓଡ଼ିଶାର ଜନଜୀବନରେ ହୃଦସ୍ପନ୍ଦନ ପାଲଟିଛନ୍ତି ନବୀନ ପଟ୍ଟନାୟକ । ସଫଳତାର ଏହି ମହାନାୟକଙ୍କୁ ରାଜନୀତିରେ ବିସ୍ମୟ ବୋଲି କୁହାଯାଉଛି । ୫୧ ବର୍ଷ ବୟସରେ ରାଜନୀତି ଆରମ୍ଭ ବେଳେ ବାପା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବଳରେ ବଳୀୟାନ୍ ହୋଇଥିଲେ । ମାତ୍ର ନିଜ ବଳରେ ବଳୀୟାନ୍ ହେବା ପାଇଁ ତାଙ୍କୁ ବେଶୀ ସମୟ ଲାଗି ନ ଥିଲା । ସରଳ, ସଚ୍ଚୋଟ ଓ ଜନପ୍ରିୟ ନେତା ଭାବେ ସେ ଇତିହାସ ପାଲଟିଲେଣି । ତାଙ୍କ ବ୍ୟକ୍ତିତ୍ୱ, ଲୋକପ୍ରିୟତା ଓ ସଫଳତାର ରହସ୍ୟ ଗବେଷଣାର ବିଷୟ ହେଲାଣି । ବୟସର ଛାପ ତାଙ୍କ ସଫଳତାର ସିଢ଼ିକୁ ତଥାପି ଅଟକାଇପାରିନାହିଁ ।
ଏହି ମହାନ୍ ଜନନେତାଙ୍କ ପବିତ୍ର ଜନ୍ମଦିନରେ ‘ମିଡ୍ ଡ଼େ ଓଡ଼ିଶା’ ପରିବାର ପକ୍ଷରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ଈଶ୍ୱର ତାଙ୍କୁ ଆହୁରି ଶକ୍ତି ଦିଅନ୍ତୁ ଏବଂ ଦୀର୍ଘାୟୁ, ନିରାମୟ ରଖନ୍ତୁ । ଏହା ହିଁ କାମନା ।
ସୂଚନାଯୋଗ୍ୟ, କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଆଜି ତାଙ୍କ ଜନ୍ମଦିନ ପାଳୁନାହାନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ଭଲ ପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ । କୋଭିଡ୍ ଯୋଗୁଁ ଗତ ଦେଢ଼ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ତେଣୁ ନବୀନ ନିବାସ ନ ଆସି କୋଭିଡ୍ ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଏବଂ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ଶୁଭେଚ୍ଛା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।