ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନରେ ଯାଇଥିଲେ । ଶେରଗଡ଼, ହିଞ୍ଜିଳି, ଆସିକା ଓ ସୋରଡ଼ା ଅଞ୍ଚଳରେ ବିପନ୍ନ ଲୋକଙ୍କୁ ଭେଟି ସେମାନଙ୍କର ଅଭାବ ଅସୁବିଧା ପଚାରିଥିଲେ ଏବଂ ସମବେଦନା ଜଣାଇଥିଲେ । ନବୀନଙ୍କୁ ଭେଟି ଦୁଃଖ ଜଣାଇବାକୁ ଲୋକଙ୍କ ମଧ୍ୟରେ ଭୀଷଣ ବ୍ୟଗ୍ରତା ପରିଲକ୍ଷିତ ହୋଇଥିଲା । ସମଗ୍ର ଅଞ୍ଚଳ ଜନସମୁଦ୍ର ପାଲଟି ଯାଇଥିଲା । ନବୀନ ତାଙ୍କ ଦୁର୍ଦ୍ଦଶା ଦୂର କରିଦେବେ ବୋଲି ସମସ୍ତଙ୍କର ଭରସା ଥିଲା ।
ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଉପସ୍ଥିତ ରହି ସେମାନଙ୍କ ଦୁଃଖ ଜଣାଇଥିଲେ । ଚାଷୀ ମାନେ ନଷ୍ଟ ହୋଇଯାଇଥିବା ଧାନ କେଣ୍ଡା ଓ ଆଖୁ ଗଛ ଧରି ବନ୍ୟା ପରିଚାଳନାରେ ସରକାରୀ ଉଦାସୀନତାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ବନ୍ୟାରେ ଘର ଭାଙ୍ଗି ଯାଇଥିବା ଓ ନିଜ ଜୀବିକା ହରାଇଥିବା ଲୋକମାନେ ସେମାନଙ୍କ ଅସୁବିଧା ଜଣାଇଥିଲେ । ୨୪ ବର୍ଷ ଶାସନରେ ଏଭଳି ହଇରାଣ ଗଞ୍ଜାମବାସୀ କେବେ ହୋଇ ନଥିଲେ କହି ଲୋକମାନେ ତାଙ୍କ ଦୁଃଖ ଜଣାଇଥିଲେ ।







