ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା, ସମ୍ବେଦନଶୀଳତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସର୍ବଦା ସଚ୍ଚୋଟ ଏବଂ ନିଷ୍ଠାବାନ ରହିବାକୁ ବିଭାଗର ସମସ୍ତ ଅଧିକାରୀ,କର୍ମଚାରୀଙ୍କୁ ଆହ୍ୱାନ ଜଣାଇଛନ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ। ଜଣେ ଯୁବ ଓଆରଏସ୍ ଅଧିକାରୀ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ତାଙ୍କୁ ଗଭୀର ଭାବେ ମର୍ମାହତ ଓ ବ୍ୟଥିତ କରିଛି ବୋଲି ବିଭାଗର ସମସ୍ତ ସହକର୍ମୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ପତ୍ରରେ ସେ ଉଲ୍ଲେଖ କରିଛନ୍ତି। ଏହି ଘଟଣାକୁ ଏକ ଚେତାବନୀ ଭାବେ ଗ୍ରହଣ କରି ସରକାରୀ ସେବାରେ ନୈତିକତା, ସାଧୁତା ଓ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ଦିଗରେ ସମସ୍ତଙ୍କୁ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ପତ୍ରରେ ରାଜସ୍ୱ ସଚିବ ଉଲ୍ଲେଖ କରିଛନ୍ତି ଯେ, ସରକାରୀ ଚାକିରି କେବଳ ଜୀବିକା ନିର୍ବାହର ମାଧ୍ୟମ ନୁହେଁ, ଏହା ଜନସାଧାରଣଙ୍କ ସେବା କରିବାର ଏକ ସୁଯୋଗ। ଏଭଳି ଏକକ ଘଟଣାକୁ ଆଧାର କରି ସମଗ୍ର ବିଭାଗର କାର୍ଯ୍ୟଦକ୍ଷତା ଓ ଭାବମୂର୍ତ୍ତିକୁ ଆକଳନ କରିବା ଉଚିତ ନୁହେଁ। ବିଭାଗର ଅଧିକାଂଶ ଅଧିକାରୀ ଓ କର୍ମଚାରୀ ନିଷ୍ଠା, ସାଧୁତା ଓ ସମର୍ପଣ ଭାବନାର ସହିତ ଜନସାଧାରଣଙ୍କ ସେବା କରୁଛନ୍ତି ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ବିଭାଗରେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ସେ ନିଜେ ନୈତିକତା, ଶୃଙ୍ଖଳା ଓ ସ୍ୱଚ୍ଛତାର ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରତିବଦ୍ଧ ବୋଲି ଜଣାଇଛନ୍ତି।ଏହି ପରିପ୍ରେକ୍ଷୀରେ ଦୁର୍ନୀତି ପ୍ରତି ଶୂନ୍ୟ-ସହନଶୀଳତା ନୀତି ଅବଲମ୍ବନ କରିବା ସହ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିୟମ ଅନୁଯାୟୀ କାର୍ଯ୍ୟ କରିବାକୁ ଏବଂ ନିଜର କର୍ତ୍ତବ୍ୟ ପାଳନରେ କୌଣସି ପ୍ରକାର ଅବହେଳା ନକରିବାକୁ ସେ ଆହ୍ୱାନ ଦେଇଛନ୍ତି।
ସେହିପରି, ବିଭାଗର ବିଭିନ୍ନ ସ୍ତରରେ କାର୍ଯ୍ୟରତ ଅଧିକାରୀମାନେ ପରସ୍ପର ପ୍ରତି ସମ୍ମାନ, ସହଯୋଗ ଓ କର୍ତ୍ତବ୍ୟନିଷ୍ଠାର ଭାବନା ରଖିବା ସହ ଏକ ସୁସ୍ଥ ଓ ସକରାତ୍ମକ କାର୍ଯ୍ୟପରିବେଶ ଗଠନ ଦିଗରେ ଉଦ୍ୟମ କରିବା ଆବଶ୍ୟକ। ନିଜର ଦକ୍ଷତା ଓ ସାମର୍ଥ୍ୟର ସର୍ବୋତ୍ତମ ଉପଯୋଗ କରି ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ସହ ଏକ ସ୍ୱଚ୍ଛ, ସମର୍ପିତ ଓ ଜନକୈନ୍ଦ୍ରିକ ପ୍ରଶାସନ ଗଠନ ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ଶେଷରେ, ରାଜସ୍ୱ ବିଭାଗ ପ୍ରତି ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସକୁ ଅତୁଟ ରଖିବା ସହ ବିଭାଗର ଗରିମା ଓ ମର୍ଯ୍ୟାଦା ବଜାୟ ରଖିବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ଡ. ପାଢ଼ୀ ଉଲ୍ଲେଖ କରିଛନ୍ତି।
ଆମେ ବିବେକବାନ ହେବା, ଆମର ମାନବିକତାକୁ ଜାଗ୍ରତ ରଖିବା ଏବଂ ଜନସାଧାରଣଙ୍କ ବିଶ୍ୱାସ ହିଁ ଆମର ସର୍ବଶ୍ରେଷ୍ଠ ପୁଞ୍ଜି ବୋଲି ସେ ନିଜ ବାର୍ତ୍ତାରେ କହିଛନ୍ତି।







