ଭୁବନେଶ୍ୱର: ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଶେଷ ଶୁଭେଚ୍ଛା ଜଣାଇଛନ୍ତି । ନାମାଙ୍କନ ଭରିବାକୁ ଛତ୍ରପୁର ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ କାର୍ ରେ ବସି ଏକ ଭିଡିଓ ବାର୍ତ୍ତା ଛାଡ଼ିଥିଲେ । ମୁଖ୍ୟମନ୍ତ୍ରୀ ସେଥିରେ କହିଛନ୍ତି- ଅଲ୍ ଦ ବେଷ୍ଟ ବବି । ଆଇ ଆମ୍ ସିଓର, ୟୁ ଉଇଲ୍ ଉଇନ୍ (ବବି ତୁମେ ସମ୍ବଲପୁରରୁ ନିଶ୍ଚିତ ଜିତିବ) ।
ବବି ଟୁଇଟ୍(ଏକ୍ସ) କରି ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି । ସେ ଲେଖିଛନ୍ତି, ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତା ପାଇ ମୁଁ ଉତ୍ସାହିତ । ଆପଣଙ୍କ ଆଶୀର୍ବାଦ ଏବଂ ସମ୍ବଲପୁରବାସୀଙ୍କ ଅକୁଣ୍ଠ ଭଲପାଇବା ‘ସମୃଦ୍ଧ ସମ୍ବଲପୁର’ ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିଛି ।
ବବି ଆଜି ଏକ ବିରାଟ ଶୋଭାଯାତ୍ରାରେ ସମ୍ବଲପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଭରିଥିଲେ । ୫ ଜଣ ପ୍ରସ୍ତାବଙ୍କ ୪ ସେଟ୍ ନାମାଙ୍କନ ଦାଖଲ କରିଛନ୍ତି । ମନୋନୟନପତ୍ର ଦାଖଲ ବେଳେ ବିଧାନସଭା ପ୍ରାର୍ଥୀ ଏବଂ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ତାଙ୍କର ବିଜେପି ପ୍ରତିପକ୍ଷ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ।