ଭୁବନେଶ୍ୱର: ଜେଲ୍ ଯାଇ ବେଲରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା । ସଂସଦକୁ ନୁହେଁ । ଅପରାଧୀମାନଙ୍କ ପାଇଁ ସବୁଠାରୁ ଉପଯୁକ୍ତ ଓ ଭଲ ଜାଗା ହେଉଛି ଜେଲ୍ । ମାତ୍ର ଏଭଳି ବ୍ୟକ୍ତିଙ୍କୁ ବିରୋଧୀ ଦଳ ପ୍ରାର୍ଥୀ କରୁଛନ୍ତି । ଆମେ ତାଙ୍କୁ କିନ୍ତୁ ତାଙ୍କର ଉଚିତ ସ୍ଥାନ ଦେଖାଇବା ।
ବିଜେପିର ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଏମିତି ଧୂଲେଇ କରିଛନ୍ତି ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ । ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଓ କୋରାପୁଟ ପରେ ଆଜି ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ଶ୍ରୀ ପାଣ୍ଡିଆନ୍ ।
ବ୍ରହ୍ମପୁର ଲୋକସଭା ମଣ୍ଡଳୀ ଅନ୍ତର୍ଗତ ଗଜପତି ଜିଲ୍ଲାର ମୋହନା ଏବଂ ଗଞ୍ଜାମ ଜିଲ୍ଲାର ଚିକିଟିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ଯାଇଥିବା ପାଣ୍ଡିଆନ୍ ବିରୋଧୀଙ୍କୁ ନିଜର ଶାଣିତ ଭାଷଣରେ ନିସ୍ତୁକ ପ୍ରହାର କରିଥିଲେ । ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ସେ ନିଶାନା କରିଥିଲେ । ଗରିବ ବେକାର ଯୁବକଙ୍କୁ ଚାକିରି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ କରିଥିବା ଅଭିଯୋଗରେ ଜେଲ୍ ଯାଇଥିବା ପାଣିଗ୍ରାହୀଙ୍କୁ ସେ ଜଣେ ଅପରାଧୀ ଭାବେ ଚିତ୍ରଣ କରି ବେଲ୍ ରେ ଆସିଥିବା ବ୍ୟକ୍ତିଙ୍କ ପାଇଁ ଭଲ ଜାଗା ଜେଲ୍ ବୋଲି ଜଣାଇ ଦେଇଥିଲେ ।
ଦଳୀୟ କର୍ମୀଙ୍କୁ ସତର୍କ କରାଇ ସେ କହିଥିଲେ ଯେ ଆପଣମାନେ ସଜାଗ ରହନ୍ତୁ । ବିରୋଧୀ ପ୍ରାର୍ଥୀମାନେ ଆସୁଛନ୍ତି ଆଉ ଲୋକଙ୍କୁ ମିଛ କହି ଠକୁଛନ୍ତି । ତେଣୁ ଆପଣମାନେ ସତର୍କ ରୁହନ୍ତୁ । । ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଭଲ କାମ କରିବା ଓ ଓଡ଼ିଶାକୁ ଆଗେଇ ନେବା ।
ବିରୋଧୀ ଦଳଙ୍କ ମିଛ ପ୍ରଚାର ଉପରେ ଶ୍ରୀ ପାଣ୍ଡିଆନ୍ କହିଥିଲେ, ବିରୋଧୀ ବାରମ୍ବାର ଡବଲ ଇଞ୍ଜନ୍ ସରକାର କଥା କହୁଛନ୍ତି । କିନ୍ତୁ ଗରିବ ଲୋକଙ୍କୁ ଭତ୍ତା ଦେଲାବେଳକୁ ମାତ୍ର ୩୦୦ ଟଙ୍କା ଦେଉଛନ୍ତି । ଓଡ଼ିଶାରେ ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା ।
ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ଐତିହ୍ୟ ସ୍ଥଳ ରୂପାନ୍ତରଣ, ମିଶନ ଶକ୍ତି କାର୍ଯ୍ୟକ୍ରମ, ମମତା, ବିନା ସୁଧରେ ଋଣ, ମା’ ମାନଙ୍କୁ ଦୁବାଇ ଗସ୍ତରେ ପଠାଇବା, ବିଏସକେୱାଇ ଯୋଜନା, ୫-ଟି ଅଧୀନରେ ସ୍କୁଲ ରୂପାନ୍ତରଣ, ଜନଜାତି ପିଲାଙ୍କ ପାଇଁ ହଷ୍ଟେଲ, ଅନ୍ୱେଷା ଭଳି ଆଦି ଅନେକ କାର୍ଯ୍ୟକ୍ରମ କରାଯାଇଛି । ଏଥିସହ ସ୍ଥାନୀୟ ଅଞ୍ଚଳର ବିକାଶ କାମର ପୂରା ହିସାବ ରଖିଥିଲେ ।
ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ମୋହନା ବିଧାୟକ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଚିକିଟି ବିଧାୟକ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଶ୍ରୀ ପାଣ୍ଡିଆନ୍ ନିବେଦନ କରିଥିଲେ ।