ଭୁବନେଶ୍ୱର: ଘଟଣାଟି ସମସ୍ତଙ୍କୁ ବିଚଳିତ କରିଛି । ଯାହାଙ୍କର ମୃତୁ୍ୟ ହୋଇଥିବା କୁହାଯାଇଥିଲା, ସେ ଜୀବିତ ଅଛନ୍ତି । ଅଥଚ ଯିଏ ଜୀବିତ ବୋଲି କୁହାଯାଉଥିଲା ବୋଧହୁଏ ୬ ଦିନ ତଳୁ ତାଙ୍କର ମୃତ୍ୟୁ ହୋଇ ଜୁଇରେ ଜଳିସାରିଲେଣି । ସବୁଠାରୁ ହୃଦୟବିଦାରକ ଓ ଦୁଃଖଦାୟକ କଥା ହେଉଛି, ବଞ୍ଚିଥିବା ସ୍ୱାମୀଙ୍କର ମୃତ୍ୟୁ ଖବରରେ ମ୍ରିୟମାଣ ପତ୍ନୀ ଆତ୍ମହତ୍ୟା କରିଦେଇଛନ୍ତି । ଏଣେ ଶଂଖା ସିନ୍ଦୁର ପିନ୍ଧି ସ୍ୱାମୀଙ୍କର ସୁସ୍ଥତାକୁ ଅପେକ୍ଷା କରି ରହିଥିବା ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଖୋଜି ଚେତାଶୂନ୍ୟ ହୋଇପଡୁଛନ୍ତି ।

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ୍ ରେ ମୃତକଙ୍କ ପରିଚୟକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଗ୍ୟାସ ବିସ୍ଫୋରଣରେ ପୋଡ଼ି ହୋଇ ଯେଉଁ ଦିଲ୍ଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା ସେହି ଦିଲ୍ଲୀପ ମରିନାହାନ୍ତି । ବରଂ ହସ୍ପିଟାଲ୍ ଭେଣ୍ଟିଲେଟରରୁ ଆଜି ବାହାରିଛନ୍ତି । ତେଣୁ ସେଦିନ ଦିଲ୍ଲୀପ ଦର୍ଶାଇ ଯାହାଙ୍କ ଡେଡବଡିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ସେ କିଏ ବୋଲି ପ୍ରଶ୍ନ ଉଠିଛି । ଗୁରୁତର ଭାବେ ପୋଡ଼ି ହୋଇଥିବା ଆଉ ଜଣେ ନିଆଳି ଗୋବିନ୍ଦପୁର ଥାନା ଅନ୍ତର୍ଗତ କୂଳ ବ୍ରାହ୍ମଣସାଇଲୋ ଗ୍ରାମର ସେ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ସନ୍ଦେହ କରାଯାଉଛି । କାରଣ ହସ୍ପିଟାଲ୍ ବେଡ୍ ରେ ଯାହାଙ୍କୁ ଜ୍ୟୋତିରଞ୍ଜନ ଦର୍ଶାଯାଉଥିଲା ସେ ପ୍ରକୃତରେ ଦିଲ୍ଲୀପ ।
ଏହି ଘଟଣାକୁ ନେଇ ଲୋକଙ୍କ ମନରେ ହଇଚଇ ସୃଷ୍ଟି ହେବା ପରେ ହାଇଟେକ୍ ହସ୍ପିଟାଲ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସତ୍ୟତାକୁ ଏକପ୍ରକାର ସ୍ୱୀକାର କରାଯାଇଛି । ତେବେ ଦୋଷ ସେମାନଙ୍କର ନୁହେଁ, ପୁଲିସର ବୋଲି କୁହାଯାଇଛି । ରୋଗୀଙ୍କୁ ଚିକିତ୍ସା କରିବା ଆମର ଦାୟିତ୍ୱ । ରୋଗୀର ପରିଚୟ ଖୋଜିବା ନୁହେଁ । ଏହି ଘଟଣାରେ ରୋଗୀଙ୍କ ମୃତ୍ୟୁ ହେବା ପରେ ମେଡିକାଲ୍ ଲିଗାଲ୍ କେସ୍ ଆଧାରରେ ଡେଡବଡି ପୁଲିସକୁ ହସ୍ତାନ୍ତର କରିଥିଲୁ ବୋଲି ହସ୍ପିଟାଲ୍ ର ସିଇଓ ଡାକ୍ତର ସ୍ମିତା ପାଢ଼ୀ ସଫେଇ ଦେଇଛନ୍ତି ।
ଅନ୍ୟପକ୍ଷରେ ହସ୍ପିଟାଲ୍ ଉପରେ ଦୋଷ ଲଦିଛନ୍ତି ପୁଲିସ । ଶବ ଚିହ୍ନଟ କରିବାରେ ପୁଲିସର କୌଣସି ଭୂମିକା ନାହିଁ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି । ତେବେ କେଉଁ ସ୍ତରରେ ତ୍ରୁଟିରୁ ଏଭଳି ହୋଇଛି ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ସୂଚନାଥାଉକି, ଗତ ୨୯ ତାରିଖ ଦିନ ହାଇଟେକ୍ ହସ୍ପିଟାଲ୍ ରେ ଏସି ମରାମତି କରୁଥିବା ବେଳେ କମ୍ପ୍ରେସର ବିସ୍ଫୋରଣ ହୋଇଥିଲା । ସେଥିରେ ଏସି ମେକାନିକ୍ ଜଟଣୀ ନିକଟ ହରିରାଜପୁର ବଅଙ୍ଗ ଗାଁର ଦିଲ୍ଲୀପ, ନିଆଳି ବ୍ରାହ୍ମଣସାଇଲୋ ଗ୍ରାମର ଜ୍ୟୋତିରଞ୍ଜନଙ୍କ ସମେତ ୪ ଜଣ ଗୁରୁତର ଭାବେ ପୋଡ଼ି ହୋଇ ଭେଣ୍ଟିଲେଟରରେ ଥିଲେ । ତେବେ ୩୧ ତାରିଖରେ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।
୨ ବର୍ଷ ତଳେ ବିବାହ କରିଥିବା ଦିଲ୍ଲୀପଙ୍କ ପତ୍ନୀ ଏଥିରେ ମ୍ରିୟମାଣ ହୋଇ ନୂଆବର୍ଷରେ ଆତ୍ମହତ୍ୟା କରିଦେଇଥିଲେ । ଗୋଟିଏ ଜୁଇରେ ଦୁଇଜଣଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।







