ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ଡ. ଅଜୟ କୁମାର ଆଜି ପ୍ରଥମ ଓଡ଼ିଶା ଗସ୍ତରେ ଆସି ରାଜ୍ୟରେ ସରକାର ଗଠନର ସ୍ୱପ୍ନ ଖୋଲିଛନ୍ତି । ସେ କହିଛନ୍ତି, ଆମର ସର୍ଭେ ଅନୁଯାୟୀ ୭୦ଟି ବିଧାନସଭା ଆସନ ଏବଂ ୧୫ ଟି ଲୋକସଭା ଆସନରେ ଦଳର ସ୍ଥିତି ଦୃଢ଼ ମଜବୁତ ଅଛି । ୧୫ ଟି ବିଧାନସଭା ଆସନରେ କଡ଼ା ମୁକାବିଲା ହେବ । ସୁତରାଂ ଓଡ଼ିଶାରେ କଂଗ୍ରେସ ଏଥର ନିଶ୍ଚିତ ସରକାର ଗଠନ କରିବ ବୋଲି ସେ ଦାବି କରିଛନ୍ତି । ତାଙ୍କର ଏହି ଭବିଷ୍ୟବାଣୀ ଦଳୀୟ ଶିବିରରେ ଉତ୍ସାହର ଲହରି ଖେଳାଇ ଦେଇଛି ।
ଡ. ଅଜୟ କୁମାର ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ପିସିସି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ତାଙ୍କୁ ଏକ ବିରାଟ ମୋଟରସାଇକେଲ ରାଲିରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ନିଆଯାଇଥିଲା । ଏହି ଅବସରରେ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।
ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ନୂଆ ପ୍ରଭାରୀ ଉପରୋକ୍ତ ସର୍ଭେ ତଥ୍ୟ ଖୋଲିବା ସହ ଏଥର କଂଗ୍ରେସର ଓଡ଼ିଶା ଦଖଲର ଦମ୍ଭ ଦେଖାଇଥିଲେ । ଏହି ଅବସରରେ ଶାସକ ଦଳ ବିଜେଡ଼ି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ବିରୋଧରେ ପ୍ରବଳ ବିଷୋଦଗାର କରିଥିଲେ । କହିଥିଲେ, ଉଭୟ ଦଳ ଅଘୋଷିତ ଯୁଗଳବନ୍ଦୀରେ ଅଛନ୍ତି । ଏହା ରାଜ୍ୟ ପାଇଁ କ୍ଷତିକାରକ । ରାଜନୀତିଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ଅଣଓଡ଼ିଆମାନେ ରାଜ୍ୟକୁ ଚଳାଉଛନ୍ତି, ମାତ୍ର କାହାରି ପାଟି ଫିଟୁନି । ଓଡ଼ିଶା ଓଡ଼ିଆମାନଙ୍କ ପାଇଁ । ଏଥିରେ କୌଣସି ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ । ଏହା ବିରୋଧରେ କଂଗ୍ରେସ ନେତା ଓ କର୍ମୀମାନେ ଏକାଠି ହୋଇ ଲଢ଼ିବେ ବୋଲି ସେ କହିଥିଲେ ।
‘ମୁଁ ମୋ ଲୋକସଭା ଆସନ ଛାଡ଼ି ଓଡ଼ିଶା ଆସିଛି । ଓଡ଼ିଶା ପାଇଁ ଲଢ଼େଇ କରିବାକୁ ଏଆଇସିସି ମୋତେ ଦାୟିତ୍ୱ ଦେଇଛନ୍ତି । ଏବେ ଓଡ଼ିଶା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ’ ବୋଲି ସେ କହିଥିଲେ । ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଚୟନ ସମ୍ପର୍କରେ ସେ କହିଥିଲେ, ବିଜୟ ସମ୍ଭାବନା ହେବ ପ୍ରାର୍ଥୀ ଚୟନର ମୂଳ ଆଧାର । ଯେଉଁମାନେ କଂଗ୍ରେସ ଛାଡ଼ିଛନ୍ତି ଏବଂ ବିଜେପି କିମ୍ବା ବିଜେଡି ସମ୍ପର୍କରେ ନାହାନ୍ତି ସେମାନେ ଦଳକୁ ଫେରିଲେ ସ୍ୱାଗତ କରାଯିବ ବୋଲି କହିଥିଲେ ।








