ଭୁବନେଶ୍ୱର: କଲେଜ ଛାତ୍ର ସଂସଦ ନିର୍ବାଚନ ଫଳକୁ ନେଇ ବିଜେଡି ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବିସିଜେଡି ସମର୍ଥନରେ ବିଜୟୀ ହୋଇଥିବା ଛାତ୍ରନେତାମାନଙ୍କର ନବୀନ ନିବାସରେ ଆଜି ଦିନସାରା ଭିଡ଼ ଲାଗି ରହିଛି । ରାଜ୍ୟର ବିଭିନ୍ନ କଲେଜର ବିଜୟୀ ଛାତ୍ରନେତାମାନେ ନବୀନ ନିବାସ ଆସି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ପାଠପଢ଼ା ଉପରେ ଗୁରୁତ୍ୱ ଦେବା ସହ ନିଜ କଲେଜର ଉନ୍ନତି ପାଇଁ କାମ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
କଲେଜ ନିର୍ବାଚନ ଫଳାଫଳକୁ ନେଇ ନବୀନ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ୬୦%ରୁ ଅଧିକ କଲେଜରେ ଓ ୫୦%ରୁ ଅଧିକ ବିଶ୍ୱବିଦ୍ୟାଳୟରେ ବିଜୟ ଲାଭ କରିଛି । ରାଜ୍ୟ ବିଜେପି ସରକାରଙ୍କ ଅର୍ଥବଳ, ବାହୁବଳ ଓ ପ୍ରବଳ ସରକାରୀ ଚାପ ସତ୍ତ୍ୱେ ପିଲାମାନେ ବିଜୁ ଜନତା ଦଳ ଆଦର୍ଶରେ ବିଶ୍ୱାସ ରଖି ଏହି ବିପୁଳ ବିଜୟ ଆଣିଛନ୍ତି । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବିଜେଡି ନେତ୍ରୀ ସୁଜାତା ରାଉତ କହିଛନ୍ତି, ବିଜୁ ଜନତା ଦଳ ସଦାବେଳେ ଛାତ୍ରମାନଙ୍କ ପଛରେ ଛିଡ଼ା ହୋଇଛନ୍ତି । ବିଜେପିର ଦକ୍ଷତା ଓ ଉଦ୍ଦେଶ୍ୟମୂଳକ କାର୍ଯ୍ୟକୁ ଓଡ଼ିଶାବାସୀ ଭଲ ଭାବରେ ଚିହ୍ନି ସାରିଲେଣି । କିନ୍ତୁ ଚଳିତ କଲେଜ ନିର୍ବାଚନ ରେ ସେମାନେ ଅତି ନିମ୍ନ ସ୍ତରକୁ ଖସିଗଲେ । ପୁଲିସ ପ୍ରଶାସନର ଉପଯୋଗ କଲେ । ବିସିଜେଡି ଛାତ୍ରମାନଙ୍କୁ ଧମକ ଦିଆଗଲା । ଗୁଣ୍ଡାମାନେ ମହିଳା କଲେଜ ଭିତରକୁ ପଶିଲେ । ବିସିଜେଡିର ଛାତ୍ରମାନଙ୍କୁ ପୁଲିସ ଉଠାଇ ନେଲା । କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚାପ ଦିଆଗଲା । ପଇସାପତ୍ର ବଣ୍ଟା ଗଲା । ଏସବୁ ସତ୍ତ୍ୱେ ବିସିଜେଡିର ଛାତ୍ରମାନେ ବିପୁଳ ବିଜୟ ହାସଲ କରିଛନ୍ତି । ଏହା ସତ୍ୟ, ନ୍ୟାୟ, ଅହିଂସା ତଥା ନବୀନ ପଟ୍ଟନାୟକଙ୍କ ଆଦର୍ଶର ଜୟ ବୋଲି ସୁଜାତା କହିଛନ୍ତି ।
ବିଜେଡିର ଦାବି ଅନୁଯାୟୀ, ୩୪୪ କଲେଜରେ ନିର୍ବାଚନ ଘୋଷଣା କରାଯାଇଥିଲେ ମଧ୍ୟ ୨୮୬ କଲେଜର ଫଳ ଘୋଷଣା କରାଯାଇଛି । ସେଥିମଧ୍ୟରୁ ୧୭୩ଟି କଲେଜରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି ।
ସେହିଭଳି ୧୩ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ନିର୍ବାଚନ ବାତିଲ ହୋଇଥିଲା । ଖଲିକୋଟ ବିଶ୍ୱବିଦ୍ୟାଳୟରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ବିଜୁ ଛାତ୍ର ଜନତା ଦଳ ସମର୍ଥତ ପ୍ରାର୍ଥୀମାନେ ରେଭେନ୍ସା, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ନର୍ଥ ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିଜୟ ଲାଭ କରିଛନ୍ତି ।
ଅନ୍ୟପକ୍ଷରେ ଏବିଭିପିର ଦାବି ଅନୁଯାୟୀ, ୨୦୮ କଲେଜରେ ସେମାନଙ୍କର ପ୍ରାର୍ଥୀ ସଭାପତି ହୋଇଛନ୍ତି । ୮୧% ଆସନରେ ସେମାନେ ବିଜୟୀ ହୋଇଥିବା କହିଛନ୍ତି ।