ଭୁବନେଶ୍ୱର: ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ଲାଗିଲା ବ୍ରେକ୍ । ଦିଲ୍ଲୀ, ମୁମ୍ବାଇ ଭଳି ସମଗ୍ର ଓଡ଼ିଶାରେ ଆଜି ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । କରୋନା ପରିପ୍ରେକ୍ଷୀରେ ନୂଆବର୍ଷ ଭିଡ଼ ଓ ଯାତାୟତ ରୋକିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ କର୍ଫ୍ୟୁ କଟକଣା ଲାଗୁ ହେବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ନାଇଟ୍ କର୍ଫ୍ୟୁ ରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି । ଏଥିରେ ଜନସାଧାରଣ ସହଯୋଗ କରିବାକୁ ଏସଆରସି ଅନୁରୋଧ କରିଛନ୍ତି ।
ସ୍ୱତନ୍ତ୍ର ଭାବେ ଭୁବନେଶ୍ୱର ଓ କଟକରେ ଜିରୋ ନାଇଟ୍ ଭିଡ଼ ଏଡାଇବାକୁ ୧୪୪ ଧାରା ଲାଗୁ କରାଯାଇଛି । ନୂଆବର୍ଷ ପାଇଁ ଲୋକମାନେ କୌଣସି ଜାଗାରେ ଏକତ୍ରିତ ନ ହେବାକୁ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି । ଆଜି ରାତି ୯ଟା ସୁଦ୍ଧା ଲୋକମାନେ କାମ ସାରି ଘରକୁ ଫେରିଆଆନ୍ତୁ । ଦୋକାନବଜାର, ଅଫିସ୍ ବନ୍ଦ କରନ୍ତୁ । ଆପାର୍ଟମେଣ୍ଟ ଏବଂ ରେସିଡେନ୍ସିଆଲ୍ ଏରିଆରେ ଭୋଜିଭାତ କରନ୍ତୁ ନାହିଁ ବୋଲି କମିଶନର ଅନୁରୋଧ କରିଛନ୍ତି । କଟକଣା ଭାଙ୍ଗିଲେ ଅମାନିଆ ବ୍ୟକ୍ତିଙ୍କୁ ରାତିସାରା ଥାନାରେ ବସାଇ ଦିଆଯିବ । ନୂଆବର୍ଷ ସେମାନଙ୍କର ଥାନାରେ କଟିବ ବୋଲି କମିଶନର ସାବଧାନ କରାଇଛନ୍ତି ।
ଏଥିପାଇଁ ଆଜି ରାତିରେ ଟ୍ୱିନ୍ ସିଟିରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ରାସ୍ତାର ବିଭିନ୍ନ ଜାଗାରେ ବ୍ୟାରିକେଡ କରାଯାଇ ନାକା ଲଗାଯିବ । ଅନୁମତି ନ ଥିବା ଲୋକଙ୍କୁ ଆଗକୁ ଯିବାକୁ ଦିଆଯିବନାହିଁ ବୋଲି କମିଶନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।
କଟକଣା ଦୃଢ଼ ଭାବରେ କାର୍ଯ୍ୟକାରୀ କରିବାକୁ ବିଏମସି ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇଛି । କୌଣସି ସର୍ବସାଧାରଣ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଅନୁମତି ଦିଆଯାଇନାହିଁ । ଆପାର୍ଟମେଣ୍ଟ ଏବଂ ରେସିଡେନ୍ସିଆଲ୍ ଅଞ୍ଚଳରେ ଭୋଜି ନ କରିବାକୁ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଅନୁରୋଧ କରିଛନ୍ତି ।
ମୋଟାମୋଟି, କରୋନା ବେଳେ ରାଜ୍ୟରେ ଯେଭଳି ନାଇଟ୍ କର୍ଫ୍ୟୁ ହୋଇଥିଲା ଆଜି ସେହିଭଳି ହେବ । ଅତ୍ୟାବଶ୍ୟକ ସେବା ଓ ଜରୁରୀ ପରିବହନକୁ ଏଥିରୁ ବାଦ୍ ଦିଆଯାଇଛି । ଗଣମାଧ୍ୟମର ପ୍ରତିନିଧିଙ୍କୁ ନାଇଟ୍ କର୍ଫ୍ୟୁ କଟକଣାରୁ ବାଦ୍ ଦିଆଯାଇଛି ।