ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖ ଛାଡ଼ିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ । କେନ୍ଦ୍ରୀୟ ଡେପୁଟେସନରେ ସେ ଚାଲି ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । କିଛି ଦିନ ହେଲା ତାଙ୍କୁ ନେଇ ଏଭଳି ଚର୍ଚ୍ଚା ଲାଗି ରହିଥିବା ବେଳେ ଖୁବ୍ ଶୀଘ୍ର ତାହା ସତ ହେବାକୁ ଯାଉଥିବା ଏହି ସୂତ୍ରରୁ ଜଣାପଡ଼ିଛି ।
ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେଲା ପରେ ପ୍ରଥମ ପସନ୍ଦ ଅଫିସର ଭାବେ ନିଯୁକ୍ତି ପାଇଥିଲେ ନିକୁଞ୍ଜ ବିହାରୀ ଧଳ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ତା’ ପୂର୍ବରୁ ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଉଥିଲେ । ତତ୍କାଳୀନ ବିଜେଡି ସରକାର ନିୟନ୍ତ୍ରଣରେ ଥିବା ପ୍ରଶାସନକଳ ଉପରେ ତାଙ୍କର ଲଗାମ ବିଜେପିକୁ ଫାଇଦା ଦେଇଥିଲା ବୋଲି ଚର୍ଚ୍ଚା ହୋଇଥିଲା ।
ବୋଧହୁଏ ସେହି କାରଣରୁ ବିଜେପି କ୍ଷମତାକୁ ଆସିବା ପରେ ଶ୍ରୀ ଧଳଙ୍କୁ ପୁରସ୍କୃତ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଜ ଦପ୍ତରରେ ନିଯୁକ୍ତି ଦେଇଥିଲେ । ପୂର୍ବ ନବୀନ ସରକାରରେ ଭି.କେ.ପାଣ୍ଡିଆନଙ୍କ ଭଳି ମୋହନ ସରକାରରେ ସେ କ୍ଷମତାଶାଳୀ ଅଧିକାରୀ ହେବାକୁ ଯାଉଥିବା ଧାରଣା ସୃଷ୍ଟି ହେଲା । ମାତ୍ର ସେ ଦାୟିତ୍ୱ ନେବାର ଅଳ୍ପଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କିଛି ଗଡ଼ବଡ଼ ଚାଲିଥିବା ଅଫିସର ମହଲରେ ଟୁପୁରୁ ଟାପର ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କର କିଛି ଆତ୍ମଘୋଷିତ ପରାମର୍ଶଦାତା ଶ୍ରୀ ଧଳଙ୍କୁ ହଟାଇବା ପାଇଁ ଯୋଜନା ଖଞ୍ଜିଥିବା ଚର୍ଚ୍ଚା ହେଲା । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ମନୋଜ ସାହୁଙ୍କ ନିଯୁକ୍ତି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଦେଇଥିଲା । ସେବେଠାରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଶ୍ରୀ ଧଳ ଏକପ୍ରକାର ଅଲୋଡ଼ା ହୋଇଥିବା ବାବୁ ମହଲରେ କୁହାଯାଉଛି ।
ତେବେ ଏହା ଗୁଲିଗପ ନା ସତ ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ମାତ୍ର ଶ୍ରୀ ଧଳ କେନ୍ଦ୍ରୀୟ ଡେପୁଟେସନରେ ଯିବା କଥା କିନ୍ତୁ ଶତ ପ୍ରତିଶତ ସତ ବୋଲି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।
ପୂର୍ବ ବିଜେଡି ଲିଙ୍କ୍ ପାଇଁ ବିଜେପି ସରକାରଙ୍କ ରୋଷରେ ଥିବା ଦକ୍ଷ ଆଇଏଏସ୍ ଅଧିକାରୀ ଶ୍ରୀମତୀ ସୁଜାତା ଆର କାର୍ତ୍ତିକେୟନଙ୍କର ଚାକିରିରୁ ସ୍ୱେଚ୍ଛାକୃତ ଅବସର ଏବେ ସବୁଆଡ଼େ ଆଲୋଚନାର ବିଷୟବସ୍ତୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ଧଳଙ୍କର ସମ୍ଭାବ୍ୟ କେନ୍ଦ୍ରୀୟ ଡେପୁଟେସନ୍ ଆଉ ଏକ ଭିନ୍ନ ଆଲୋଚନାକୁ ଡାକି ଆଣିଛି ।
ଏହି ପରିପ୍ରେକ୍ଷୀରେ ମୋହନ ସରକାରଙ୍କ ଶାସନ ପରିଚାଳନା ଓ ନୀତି ଆଦର୍ଶକୁ ନେଇ କିଛି ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ କ୍ଷୋଭ ପ୍ରକାଶ କରିଛନ୍ତି । ନିକୁଞ୍ଜ ଧଳଙ୍କ ଭଳି ଜଣେ ସଚ୍ଚୋଟ, ଦକ୍ଷ ସର୍ବୋପରି ବିଜେପି ଅନୁରାଗୀ ଅଧିକାରୀଙ୍କୁ ମୋହନ ସରକାର ଜିରୋ କରୁଥିବା ବେଳେ ପୂର୍ବ ବିଜେଡି ସରକାରର ଗେହ୍ଲା ପୁଅ ପ୍ରଦୀପ ଜେନାଙ୍କୁ ଡାକିଆଣି ହୀରୋ କରିବାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି । ନବୀନ ସରକାରଙ୍କ ଅନୁଗ୍ରାହୀ ଏହି ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କୁ ଓଇଆରସି ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇ ମୋହନ ସରକାର କି ବାର୍ତ୍ତା ଦେବାକୁ ଚାହିଁଛନ୍ତି ବୋଲି ସେମାନେ କଟାକ୍ଷ କରିଛନ୍ତି ।