ଭୁବନେଶ୍ୱର: ବିଧାନସଭାରେ ମିଛ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରୀମତୀ ସୁଜାତା ଆର କାର୍ତ୍ତିକେୟନ୍ ଙ୍କ ଭିଆରଏସ୍ ଆବେଦନକୁ ଲୁଚାଇ ସେ ଗୃହକୁ ଭୁଲ୍ ତଥ୍ୟ ଦେଇଥିଲେ । ସୁଜାତା ମାର୍ଚ୍ଚ ୧୩ ତାରିଖରୁ ଭିଆରଏସ୍ ଆବେଦନ କରିଥିଲେ ମଧ୍ୟ ମାର୍ଚ୍ଚ ୨୪ ତାରିଖ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କିତ ପ୍ରଶ୍ନକୁ ନା କହିଥିଲେ । କେନ୍ଦ୍ର ସରକାର ସୁଜାତାଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଶୁକ୍ରବାର ଦିନ ମଞ୍ଜୁର କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ମିଛ ଧରାପଡ଼ିଯାଇଛି ।
ମାର୍ଚ୍ଚ ୨୪ ତାରିଖ ବିଧାନସଭାରେ ବିଜେଡି ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ପ୍ରଶ୍ନ(ସଂଖ୍ୟା ୫୩୦) ପଚାରିଥିଲେ । ରାଜ୍ୟର କୌଣସି ଆଇଏଏସ୍, ଆଇପିଏସ୍, ଆଇଏଫଏସ୍, ଓଏଏସ୍, ଓପିଏସ୍ ଅଧିକାରୀ ଚାକିରିରୁ ଇସ୍ତଫା ଦେବା ପାଇଁ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି କି ବୋଲି ସେ ଜାଣିବାକୁ ଚାହିଁଥିଲେ । ମାତ୍ର ବର୍ତ୍ତମାନ କୌଣସି ଆଇଏଏସ୍, ଆଇପିଏସ୍, ଆଇଏଫଏସ୍, ଓଏଏସ୍, ଓପିଏସ୍ ଅଧିକାରୀ ଚାକିରିରୁ ଇସ୍ତଫା ଦେବା ପାଇଁ ସରକାରଙ୍କ ନିକଟରେ ଆବେଦନ କରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ସଫା ସଫା ଉତ୍ତର ଦେଇଥିଲେ ।
ସୂଚନାଯୋଗ୍ୟ, ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ ମାର୍ଚ୍ଚ ୧୩ ତାରିଖରେ ତାଙ୍କର ଭିଆରଏସ୍ ଆବେଦନକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲେ । ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୨୭ ତାରିଖରେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟକୁ ପଠାଇଥିଲେ । ମାର୍ଚ୍ଚ ୨୮ ତାରିଖରେ ତାଙ୍କର ଭିଆରଏସ୍ ଆବେଦନ ମଞ୍ଜୁର ହୋଇଥିଲା ।
ଅତଏବ, ମୁଖ୍ୟମନ୍ତ୍ରୀ ବିଧାନସଭାରେ ତାଙ୍କର ଉତ୍ତର ରଖିବା ଦିନର ୧୧ ଦିନ ଆଗରୁ ଶ୍ରୀମତୀ କାର୍ତ୍ତିକେୟନଙ୍କର ଭିଆରଏସ୍ ଆବେଦନ ରାଜ୍ୟ ସରକାରଙ୍କ ନିକଟକୁ ଆସି ସାରିଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଏହି ତଥ୍ୟ ଦେଇ ନ ଥିଲେ । କ’ଣ ପାଇଁ ଲୁଚାଇଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ।







