ଭୁବନେଶ୍ୱର: ଶେଷରେ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ଭି.କେ. ପାଣ୍ଡିଆନ୍ ଙ୍କ ପତ୍ନୀ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍ । ସ୍ୱାମୀ ଆଇଏଏସ୍ ଚାକିରି ଛାଡ଼ିବାର ଦେଢ଼ ବର୍ଷ ପରେ ସେ ମଧ୍ୟ ଆଇଏଏସ୍ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୦୦ ବ୍ୟାଚ୍ ର ଶ୍ରୀମତୀ କାର୍ତ୍ତିକେୟନ୍ ୧୫ ଦିନ ତଳେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । କେନ୍ଦ୍ର ସରକାର ତାଙ୍କର ଆବେଦନକୁ ଗତକାଲି ମଞ୍ଜୁର କରିଥିବା ଜଣାପଡ଼ିଛି ।
ପୂର୍ବ ନବୀନ ସରକାରରେ ଭି.କେ.ପାଣ୍ଡିଆନଙ୍କ ପରେ ପତ୍ନୀ ସୁଜାତା ଅତ୍ୟନ୍ତ ପ୍ରଭାବଶାଳୀ ଥିଲେ । ବହୁ ବର୍ଷ ଧରି ମିଶନ ଶକ୍ତିର ନିଦେ୍ର୍ଦଶକ ଏବଂ ତାହା ସ୍ୱତନ୍ତ୍ର ବିଭାଗ ହେଲା ପରେ ସଚିବ ଦାୟିତ୍ୱରେ ଥିଲେ । ଏଥିସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।
୨୦୨୩ ଅକ୍ଟୋବରରେ ସ୍ୱାମୀ ଭି.କେ.ପାଣ୍ଡିଆନ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗଦେଇଥିଲେ । ନବୀନ ପଟ୍ଟନାୟକଙ୍କ ଜାଗାରେ ସେ ରାଜ୍ୟ ସାରା ବୁଲି ବିଜେଡି ପାଇଁ ଭୋଟ ମାଗିଥିଲେ । ନବୀନଙ୍କ ଉତ୍ତରାଧିକାରୀ ସେ ହେବେ ବୋଲି ପ୍ରଚାର ହୋଇଥିଲା । ମାତ୍ର ପାଣ୍ଡିଆନ୍ ତାଙ୍କ ମିଶନରେ ସଫଳ ହେଲେ ନାହିଁ । ବିଜେଡି ପରାଜିତ ହେଲା । ଏହା ପରେ ସକ୍ରିୟ ରାଜନୀତିରୁ ପାଣ୍ଡିଆନ୍ ସନ୍ୟାସ ଘୋଷଣା କଲେ । ପ୍ରଚ୍ଛଦପଟରେ ରହି ଏବେ ବି ସେ ବିଜେଡି ରାଜନୀତିକୁ ନିୟନ୍ତ୍ରଣ କରୁଥିବା କୁହାଯାଉଥିଲେ ମଧ୍ୟ ଖୁବ୍ ଶୀଘ୍ର ଓଡ଼ିଶା ଛାଡ଼ି ଏକ ଅନ୍ତର୍ଜାତୀୟ ସଂଗଠନରେ ଯୋଗଦେଉଥିବା ଜଣାପଡ଼ିଛି ।
ସେପଟେ ୨୦୨୪ ନିର୍ବାଚନ ବେଳେ ଶାସକ ଦଳକୁ ସହଯୋଗ କରୁଥିବା ନେଇ ବିଜେପିର ଅଭିଯୋଗକ୍ରମେ ଶ୍ରୀମତୀ କାର୍ତ୍ତିକେୟନଙ୍କ ଉପରେ ନିର୍ବାଚନ କମିସନଙ୍କ ଛାଟ ବାଜିଥିଲା । ତାଙ୍କୁ ମିଶନ ଶକ୍ତି ବିଭାଗର ସଚିବ ପଦରୁ ହଟାଯାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା । ତେବେ ବିଜେଡିର ବିପର୍ଯ୍ୟୟ ପରେ ଶ୍ରୀମତୀ କାର୍ତ୍ତିକେୟନ୍ ଚାଇଲଡ୍ କେୟାର ଲିଭ୍(ସିସିଏଲ)ରେ ୬ ମାସ ଛୁଟି ନେଇ ବିଦେଶ ଚାଲିଯାଇଥିଲେ । ନଭେମ୍ବର ୨୬ରେ ତାଙ୍କର ଛୁଟି ସରିବା ପରେ ସେ ପୁଣି ୬ ମାସ ଛୁଟି ପାଇଁ ଆବେଦନ କରିଥିଲେ । ମାତ୍ର ମୋହନ ସରକାର ତାଙ୍କର ସାନି ଛୁଟି ଆବେଦନକୁ ଆଉ ଗ୍ରହଣ କଲେ ନାହିଁ । ଫଳରେ ସେ ତାଙ୍କ କାର୍ଯ୍ୟରେ ଯୋଗଦେଇଥିଲେ ।