ଭୁବନେଶ୍ୱର: ବିଶିଷ୍ଟ ସାରସ୍ୱତ ସାଧିକା ଶ୍ରୀମତୀ ନିର୍ମଳାପ୍ରଭା ନାୟକ ଆଉ ଇହଧାମରେ ନାହାନ୍ତି । ରାଜଧାନୀର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ବିଳମ୍ବିତ ସଂଧ୍ୟାରେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୮୩ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ସାହିତ୍ୟ, ରାଜନୀତି ଓ ସମାଜସେବା ସହ ଜଡିତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।
ବାର୍ଦ୍ଧକ୍ୟ ରୋଗରେ ପୀଡ଼ିତ ଶ୍ରୀମତୀ ନାୟକ ତିନି ଦିନ ତଳେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ଏକ ଘରୋଇ ହସ୍ପିଟାଲ୍ ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ତାଙ୍କ ଅବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା । ମାତ୍ର ସଂଧ୍ୟାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଯାଇଥିଲା । ଡାକ୍ତରମାନଙ୍କ ପ୍ରବଳ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନ ଥିଲେ । ମୃତ୍ୟୁ ବେଳକୁ ଦୁଇପୁଅ ଶାନ୍ତନୁ ଏବଂ ଅତନୁଙ୍କ ସମେତ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।
ଶ୍ରୀମତୀ ନାୟକ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କର ପତ୍ନୀ ଥିଲେ । ବିବାହ ପରେ ନିଜ ଚେଷ୍ଟାରେ ପାଠ ପଢି ସେ ଶିକ୍ଷୟତ୍ରୀ ଭାବେ ୩୫ବର୍ଷରୁ ଅଧିକ ସମୟ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ତାଙ୍କ ଲିଖିତ ‘ସାୟାହ୍ନର ସ୍ମୃତି’ ପୁସ୍ତକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛି । ଏଥିଲାଗି ଏକାଡେମୀ କର୍ତ୍ତୃପକ୍ଷ ସମ୍ମାନ ବାବଦରେ ତାଙ୍କୁ ପ୍ରଦାନ କରିଥିବା ଲକ୍ଷାଧିକ ଟଙ୍କା ସେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଦେଇଥିଲେ ।
ଏଠାରେ ଉଲ୍ଲେଖନୀୟ ଯେ ସାୟାହ୍ନର ସ୍ମୃତି ପୁସ୍ତକଟି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ୍ ସରକାରଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପରବର୍ତ୍ତୀ ସମୟ ଏହି ପୁସ୍ତକଟି ପାଠକୀୟ ଆଦୃତି ଲାଭ କରିବା ଯୋଗୁଁ ତାହାର ଅନେକ ସଂସ୍କରଣ ପ୍ରକାଶ ପାଇଛି । ଏମିତିକି ଏହାର ଇଂରାଜୀ ଅନୁବାଦ ‘ଟୁଇଲାଇଟ୍ ମେମୋରିଜ୍’ ମଧ୍ୟ ଇତି ମଧ୍ୟରେ ବେଶ୍ ଚର୍ଚ୍ଚିତ ହୋଇଛି । ଶ୍ରୀମତୀ ନାୟକଙ୍କର ଅନେକ ପୁସ୍ତକ ଇତି ମଧ୍ୟରେ ପ୍ରକାଶ ପାଇଛି । ଏହାଛଡା ବିଭିନ୍ନ ପତ୍ର ପତ୍ରିକା ପାଇଁ ସେ ନିୟମିତ ଭାବେ ଲେଖା ଲେଖୁଥିଲେ ।
ଅସୁରେଶ୍ୱର ଗୋରକ୍ଷଣୀ ସହିତ ସେ ଜଡିତ ଥିଲେ । ସେଠାରେ ଅର୍କମଣ୍ୟ ଗୋମାତାମାନଙ୍କ ସେବାରେ ନିଜ ପେନ୍ସନ ପଇସା ସମ୍ପୂର୍ଣ୍ଣ ଭାବେ ବ୍ୟୟ କରୁଥିଲେ । ଏହାଛଡା ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଓ ଅନ୍ୟ ସମୟରେ ମଧ୍ୟ ଶ୍ରୀମତୀ ନାୟକ ତାଙ୍କ ସେବା କାର୍ଯ୍ୟର ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି ।
ସର୍ବୋଦୟ ନେତ୍ରୀ ମା ରମାଦେବୀ, ଅନ୍ନପୂର୍ଣ୍ଣା ମହାରଣା ଇତ୍ୟାଦିଙ୍କ ନିକଟ ବଳୟରେ ସେ କାମ କରିବା ସହ ୱର୍ଦ୍ଧା ଓ ସେବାଗ୍ରାମ ଆଶ୍ରମରେ ମଧ୍ୟ ତାଲିମ ନେଇଥିଲେ । ତାଙ୍କ ସ୍ୱାମୀ ସ୍ୱର୍ଗତ ରାଜକିଶୋର ନାୟକ ଦୁଇ ଦୁଇଥର ବିଧାୟକ ଓ ରାଜ୍ୟ ଖଦିବୋର୍ଡର ଅଧ୍ୟକ୍ଷ ଥିଲେ ମଧ୍ୟ ଶ୍ରୀମତୀ ନାୟକ କେବେହେଲେ ଦିନକ ପାଇଁ ଖଦିବୋର୍ଡ ଗାଡି ବ୍ୟବହାର କରିନଥିଲେ ।
ଗାନ୍ଧୀ ଆଦର୍ଶରେ ପ୍ରଭାବିତ ହେବା ସହ ଶ୍ରୀମତୀ ନାୟକ ଠାକୁର ନିଗମାନନ୍ଦଙ୍କ ଆଧ୍ୟାତ୍ମିକ ମାର୍ଗରେ ଆକର୍ଷିତା ହୋଇଥିଲେ । ତାଙ୍କର ଦୁଇ ପୁଅ ଓ ଚାରି ଝିଅ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ । ସାନ ପୁଅ ଅତନୁ ସବ୍ୟସାଚୀ ନାୟକ ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ରହିଛନ୍ତି ।
ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।







