ପୁରୀ: କାଳିଆ ଦର୍ଶନ କଟକଣା କୋହଳ ହୋଇଛି । ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତଙ୍କୁ ଆଉ କୋଭିଡ୍ ଟିକା ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବନି । ଆସନ୍ତା ୨୧ ତାରିଖରୁ ଭକ୍ତମାନେ ବିନା କୋଭିଡ୍ ଟିକା ସାର୍ଟିଫିକେଟ୍ ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ।
ଆଜି ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଡବଲ୍ ଡୋଜ୍ ଟିକା ସାର୍ଟିଫିକେଟ୍ ଦେଖେଇବାକୁ ପଡୁଥିଲା । ମାତ୍ର ଅଧିକାଂଶ ଲୋକ ଡବଲ ଡୋଜ୍ ନେଇସାରିଥିବାରୁ ଏହି କଟକଣାକୁ କୋହଳ କରାଯାଇଛି ।
ଅନ୍ୟପକ୍ଷରେ, ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର କଟକଣା ରହିବ । ୧୯ ତାରିଖରେ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ଥିବାରୁ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ରାଷ୍ଟ୍ରପତି ୫ ଟାରୁ ୫ଟା ୪୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ରହିବେ । ତେଣୁ ୪ଟାରୁ ସାଧାରଣ ଭକ୍ତଙ୍କ ପ୍ରବେଶ ମନା କରାଯାଇଛି । ରାଷ୍ଟ୍ରପତି ଯାଇସାରିବା ପରେ ୬ ଟାରୁ ଭକ୍ତମାନେ ସ୍ୱାଭାବିକ ପ୍ରବେଶ କରିବେ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।