ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ମୁଖ୍ୟ ପ୍ରସଙ୍ଗ ଥିଲା ରତ୍ମଭଣ୍ଡାରର ସୁରକ୍ଷା । ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ ସୁନା ଅଳଙ୍କାର ଚୋରି ହୋଇ ତାମିଲନାଡୁ ପଳାଇଛି ବୋଲି ଭି.କେ ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ତୁମ୍ବିତୋଫାନ ହୋଇଥିଲା । ରତ୍ନଭଣ୍ଡାରକୁ ଆଧାର କରି ‘ଓଡ଼ିଆ ଅସ୍ମିତା’ର ନ୍ୟାରେଟିଭ୍ ବାହାର କରାଯାଇଥିଲା । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନିର୍ବାଚନୀ ସଭାରେ ରତ୍ମଭଣ୍ଡାର ଚାବି ତାମିଲନାଡୁ ପଳେଇଛି କହି ବିଜେଡି ସରକାରକୁ ଗାଳି କରିଥିଲେ । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ତାମିଲନାଡୁକୁ ଚୋରି କରିନେଇଥିବା ବିଜେଡି ସରକାରକୁ ହଟାଇବାକୁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଥିଲେ । ଗୃହମନ୍ତ୍ରୀ ଅମିତ୍ ଶାହା ତାଙ୍କ ପ୍ରଚାର ପାଳିରେ ରତ୍ନଭଣ୍ଡାର ଚାବି ଚୋରିକୁ ନେଇ ଭୀଷଣ ଗର୍ଜିଥିଲେ ।
ଓଡ଼ିଶାରେ ନିର୍ବାଚନ ପ୍ରଚାରର ଡେରା ପକାଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରତ୍ନଭଣ୍ଡାର ପ୍ରସଙ୍ଗରେ ପୂରାପୂରି ଅଟକି ରହିଥିଲେ । ତାଙ୍କର ଦିନଚର୍ଯ୍ୟା ଏହି ପ୍ରସଙ୍ଗରୁ ଆରମ୍ଭ ହେଉଥିଲା ଏବଂ ସରୁଥିଲା । ପାଣ୍ଡିଆନଙ୍କୁ ରତ୍ନଭଣ୍ଡାର ଚୋର କହି ଆଖିବୁଜା ଗାଳି କରିଥିଲେ ।
ମୋଟାମୋଟି ଭାବେ, ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଥିବା କେନ୍ଦ୍ରୀୟ ନେତାମାନଙ୍କର ବିଜେଡି ସରକାର ବିରୋଧରେ ଏହି ରତ୍ନଭଣ୍ଡାର ହିଁ ଥିଲା ମୁଖ୍ୟ ଅସ୍ତ୍ର । ରତ୍ନଭଣ୍ଡାର ଚାବି ହଜିନି, ତାହା ତାମିଲନାଡୁ ପଳାଇଛି ବୋଲି ସମସ୍ତେ ଭାଷଣ ମାରିଥିଲେ ।
ଫଳ ହେଲା ଏୟା ଯେ, ମହାପ୍ରଭୁ ଜଗନ୍ନାଥଙ୍କର ଏହି ତଥାକଥିତ ଅଳଙ୍କାର ଚୋରି ପ୍ରସଙ୍ଗ ଓଡ଼ିଆ ଲୋକଙ୍କ ଭାବାବେଗକୁ ଭୀଷଣ ଆଘାତ ଦେଇଥିଲା । ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ଅତୁଟ ଥିବା ସତ୍ତ୍ୱେ ଲୋକେ ବିଜେଡିକୁ ଶାସନଗାଦିରୁ ହଟାଇ ଦେଲେ । ୨୪ ବର୍ଷର ବିଜେଡି ସରକାରର ଅନ୍ତ ଘଟିଥିଲା ।
ମାତ୍ର ଦୁଇବର୍ଷ ତଳର ଏହି ଘଟଣାକୁ ଲୋକେ ଭୁଲିନାହାନ୍ତି । ବିଜେପି ସରକାରରେ ରତ୍ନଭଣ୍ଡାରର ଗଣତିମଣତିକୁ ଲୋକଙ୍କର ସ୍ୱାଭାବିକ ଅପେକ୍ଷା ଥିଲା । ରତ୍ନଭଣ୍ଡାରରୁ କେତେ ଅଳଙ୍କାର ଚୋରି ହୋଇ ତାମିଲନାଡୁ ଚାଲିଯାଇଛି ତାହା ଜାଣିବାକୁ ସମସ୍ତଙ୍କର ଉତ୍କଣ୍ଠା ଥିଲା ।
ବିଜେପି ସରକାର ରତ୍ନଭଣ୍ଡାର ଖୋଲି ଇତିମଧ୍ୟରେ ଗଣତିମଣତି କାର୍ଯ୍ୟ କରିଛନ୍ତି । ଏହା ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଗଣତିରେ ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ୧୯୭୮ ମସିହାର ତାଲିକା ସହ ବର୍ତ୍ତମାନ ୨୦୨୬ରେ କରାଯାଉଥିବା ମହାପ୍ରଭୁଙ୍କ ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାର ଓ ରତ୍ନ ତାଲିକା ମେଳ ଖାଉଛି ବୋଲି ସେ ସଫା ସଫା ଜଣାଇଛନ୍ତି ।
ଅତଏବ, ରତ୍ନଭଣ୍ଡାର ଚୋରି ହୋଇନି କି ଚାବିକାଠି ତାମିଲନାଡୁ ପଳାଇନି । ୪୮ ବର୍ଷ ତଳେ ରତ୍ନଭଣ୍ଡାରରେ ଯାହା ଥିଲା ଆଜି ସେୟା ଅଛି । ଯାହା ପ୍ରମାଣ କରୁଛି ଯେ ବିଜେପିର ଏହା ଭୋଟ ରାଜନୀତି ଥିଲା । ଭୋଟ ହାତେଇବାକୁ ଲୋକଙ୍କୁ ଭ୍ରମିତ କରାଯାଇଥିଲା । ଭୁଲ୍ ପ୍ରଚାରର ଭାଣ୍ଡାମି ହୋଇଥିଲା । ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଭୁଲ୍ ପ୍ରଚାର କରିବାକୁ ସଙ୍କୋଚ କରି ନ ଥିଲେ ।
ଏବେ ନିଜେ ଗଣତି କରି ଲୋକଙ୍କୁ ସତ ଜଣାଇବା ପରେ ମଧ୍ୟ ବିଜେପି ନେତାଙ୍କ ମନରେ ସାମାନ୍ୟତମ ଲଜ୍ଜାବୋଧ ନ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଓଡ଼ିଆ ଲୋକଙ୍କୁ ଅସ୍ମିତାର ଭାବପ୍ରବଣତାରେ ବାନ୍ଧି ଭୋଟ ହାତେଇବା କୌଶଳରେ ସଫଳ ହୋଇଥିବାରୁ ବରଂ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି । ତାହା ହୋଇ ନ ଥିଲେ ସମ୍ବିଧାନ ସଂଶୋଧନ ବିଲ୍ କାଟ୍ ଖାଇବାକୁ ମହିଳା ସଂରକ୍ଷଣ ବିଲ୍ ସହ ଯୋଡି ବିରୋଧୀ ଦଳକୁ ନାରୀଶକ୍ତି ବିରୋଧୀ ବୋଲି ପ୍ରଚାର କରିବାକୁ ଏଠି ରାସ୍ତାକୁ ଓହ୍ଲାଇ ନ ଥାନ୍ତେ । ବିଜେପିର ଏହି ଚେହେରା ସାଧାରଣ ଜନତାଙ୍କୁ ଆନ୍ଦୋଳିତ କରିଛି । ରତ୍ନଭଣ୍ଡାର ପ୍ରସଙ୍ଗରେ ଭୁଲ୍ ପ୍ରଚାର ପାଇଁ ଓଡ଼ିଶାବାସୀଙ୍କୁ ବିଜେପି କ୍ଷମା ମାଗିବ ତ?
ସେହିଭଳି ରତ୍ନଭଣ୍ଡାର ଖୋଲିବାରେ କୌଣସି ଅସୁବିଧା ନ ଥିଲେ ମଧ୍ୟ ପୂର୍ବ ବିଜେଡି ସରକାର ଏହା କାହିଁକି ଖୋଲୁ ନ ଥିଲେ ତାହା ମଧ୍ୟ ଆଜି ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ସେତିକି ହୋଇଥିଲେ ବିଜେପି ନା ରତ୍ନଭଣ୍ଡାରକୁ ପ୍ରସଙ୍ଗ କରିଥାନ୍ତା ନା ଓଡ଼ିଆ ଅସ୍ମିତାର ଛାଟ ଧରିଥାନ୍ତା ।
Continue Reading






