ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଉଥିଲେ ମଧ୍ୟ ଓଡ଼ିଶା ଉପରେ ଏହାର କାଣିଚାଏ ପ୍ରଭାବ ପଡ଼ିବନି । ୨୩ ତାରିଖ ସଂଧ୍ୟାରେ ଏହା ବାଲାଂଦେଶ ଉପକୂଳ ଅତିକ୍ରମ କରିବ । ଓଡ଼ିଶାରେ ନା ବର୍ଷା ହେବ ନା ପବନ ହେବ । ଆଇଏମଡ଼ି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସ୍ପଷ୍ଟ ଆକଳନ ଦେଇଛନ୍ତି ।
ଡ. ମହାପାତ୍ରଙ୍କ ସୂଚନା ଅନୁଯାୟୀ, କାଲି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ଥିଲା । ଏହା ପୂର୍ବ ଦିଗକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । କ୍ରମଶଃ ଏହା ପୂର୍ବ- ଉତ୍ତରପୂର୍ବ ଦିଗକୁ ଗତି କରିବ । ୧୯ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ୱେଲମାର୍କ ଲୋ-ପ୍ରେସର ରୂପ ନେବ । ପରେ ଦିଗ ପରିବର୍ତ୍ତନ କରି ଆଣ୍ଡାମାନ ନିକୋବର ଦ୍ୱୀପ ଆଡକୁ ଗତି କରିବ । ଏହା କ୍ରମଶଃ ଅଧିକ ଘନୀଭୂତ ହୋଇ ୨୦ ରେ ଅବପାତ ଏବଂ ୨୧ ତାରିଖରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ବାତ୍ୟା ଆକାରରେ ୨୩ ସଂଧ୍ୟାରେ ବାଲାଂଦେଶ ଉପକୂଳ ଅତିକ୍ରମ କରିବ ।
ଏହାର ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ୱୀପ ନିକଟରେ ପବନର ବେଗ ବଢ଼ିବ ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶା ଉପରେ ଏହାର ଆଦୌ ପ୍ରଭାବ ନାହିଁ ବୋଲି କହିଛନ୍ତି ଆଇଏମଡ଼ି ଡିଜି ।