ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ଏହିକ୍ରମରେ ରାଜ୍ୟ ସରକାର ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ କ୍ୟାଡରର ୩ ଜଣ ଏକଜ୍ୟୁଟିଭ୍ ଇଞ୍ଜିନିୟର୍, ଜଣେ ପୁଲିସ ଇନସପେକ୍ଟର, ଜଣେ ଅତିରିକ୍ତ ଯୋଗାଣ ଅଧିକାରୀ ଏବଂ ଜଣେ ଜିଲ୍ଲା କଲ୍ୟାଣ ଅଧିକାରୀ । ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ବରଖାସ୍ତ ଅଥବା ବାଧ୍ୟତାମୂଳକ ଅବସର ଦିଆଗଲାଣି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସରୋଜ କୁମାର ଦାସ(ଏକଜ୍ୟୁଟିଭ୍ ଇଞ୍ଜିନିୟର୍): ସରୋଜ କୁମାର ଦାସଙ୍କ କାର୍ଯ୍ୟଶୈଳୀ ଆଦୌ ସନ୍ତୋଷଜନକ ନ ଥିଲା ଏବଂ ତାଙ୍କର ଅତୀତର ରେକର୍ଡରୁ ଜଣାଯାଇଛି ଯେ କାର୍ଯ୍ୟ କ୍ଷେତ୍ରରେ ଅତ୍ୟନ୍ତ ଅପାରଗ ଥିଲେ। ତାଙ୍କ କାର୍ଯ୍ୟଶୈଳୀରେ ଅସଙ୍ଗତି, ନିଷ୍ଠାର ଅଭାବ ଏବଂ ଅପାରଗତା ଯୋଗୁ ସେ ଜଣେ ସରକାରୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ଜନସ୍ୱାର୍ଥର ପରିପନ୍ଥୀ । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଦୟାନିଧି ସାମଲ(ଏକଜ୍ୟୁଟିଭ୍ ଇଞ୍ଜିନିୟର୍): କାର୍ଯ୍ୟକଳାପ ସନ୍ତୋଷଜନକ ନୁହେଁ। ତାଙ୍କର କାର୍ଯ୍ୟକଳାପ ଜଣେ ଦାୟିତ୍ୱବାନ ସରକାରୀ କର୍ମଚାରୀଙ୍କ କାର୍ଯ୍ୟର ପରିପନ୍ଥୀ ଓ ଜନସ୍ୱାର୍ଥ ବିରୋଧୀ। ଏହାସହିତ ଅପାରଗତା ଓ ଅସାଧୁତା ଆଦି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
କରୁଣାକର ଘଡାଇ(ଏକଜ୍ୟୁଟିଭ୍ ଇଞ୍ଜିନିୟର୍): ନାତାଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ଜଣେ ଯୋଗାଣକାରୀଙ୍କୁ ସେ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିଥିଲେ। ତାଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ନୁହେଁ ଏବଂ ତାଙ୍କ ବିରୁଦ୍ଧରେ ଅସାଧୁତାର ପ୍ରମାଣ ମଧ୍ୟ ରହିଛି । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ରତ୍ନାକର ମଲ୍ଲିକ(ପୋଲିସ ଇନ୍ସପେକ୍ଟର): ଅନୁଗୁଳ ଜିଲ୍ଲା ପୋଲିସ ଇନ୍ସପେକ୍ଟର ରତ୍ନାକର ମଲ୍ଲିକଙ୍କୁ ଅପାରଗତା କାରଣକୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ରତ୍ନାକର ସେଠୀ(ଅତିରିକ୍ତ ଯୋଗାଣ ଅଧିକାରୀ): ନୂଆପଡା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ନାମରେ ଦୁଇଟି ଦୁର୍ନୀତି ମାମଲ ରହିଛି । ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ତାଙ୍କ ନିକଟରୁ ୬.୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇ ତାଙ୍କୁ ଜେଲ୍କୁ ପଠାଯାଇଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଚାରୁଲତା ମଲ୍ଲିକ(ପୂର୍ବତନ କଲ୍ୟାଣ ଅଧିକାରୀ): ଅନୁଗୁଳ ଜିଲ୍ଲାର ପୂର୍ବତନ କଲ୍ୟାଣ ଅଧିକାରୀ ମିସ୍ ଚାରୁଲତା ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି। ଜିଲ୍ଲା କଲ୍ୟାଣ ଅଧିକାରୀ ଭାବରେ ସେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରା ପଡିଥିଲେ। ସେ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
।