ଭୁବନେଶ୍ୱର: ରାଜ୍ୟର ମିଶନ ଶକ୍ତି ମା’ ମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ଘୋଷଣା କରିଛନ୍ତି । ପୂର୍ବରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ପାଉଥିଲେ । ନୂତନ ଋଣ ବ୍ୟବସ୍ଥା ୨୦୨୨ ଅପ୍ରେଲ ପହିଲାରୁ ଲାଗୁ ହେବ । ଆଗାମୀ ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଗ୍ରୁପମାନଙ୍କୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ଏହାଦ୍ୱାରା ଆମର ମିଶନ ଶକ୍ତି ମା’ ମାନେ ଏସଏଚଜିରୁ ଏସଏମଇ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ । ଆମର ଲକ୍ଷ ଲକ୍ଷ ମା’ ଅଧିକ ଟଙ୍କାର ଋଣ ନେଇ ବଡ଼ ବଡ଼ ବ୍ୟବସାୟ କରିପାରିବେ । ଓଡ଼ିଶାର ରୂପାନ୍ତର କ୍ଷେତ୍ରରେ ମା’ ମାନେ ହେଉଛନ୍ତି ଅଭିନ୍ନ ଅଙ୍ଗ । ଆଜିର ଏହି ନିଷ୍ପତ୍ତି ସେମାନଙ୍କୁ ସଶକ୍ତ କରିବାରେ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟ ସରକାର ମିଶନ ଶକ୍ତି ମା’ ମାନଙ୍କୁ ଗତ ୩ ବର୍ଷରେ ସରକାରୀ ଭାବରେ ୪ ହଜାର କୋଟି ଟଙ୍କାର ବ୍ୟବସାୟ ଯୋଗାଇ ଦେଇଛନ୍ତି । ଏହାସହିତ ଗତ ୫ ବର୍ଷରେ ସେମାନଙ୍କୁ ୧୭ ହଜାର କୋଟିରୁ ଅଧିକ ଟଙ୍କାର ଋଣ ଯୋଗାଇ ଦିଆଯାଇଛି । ବର୍ତ୍ତମାନ ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ୪ ଲକ୍ଷ ଏସଏଚଜି ଗ୍ରୁପ୍ ର ବ୍ୟାଙ୍କ ଖାତାକୁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ସୁଧ ଫେରାଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି ଏକ ଅଭିନବ ଉଦ୍ୟମ । ରାଜ୍ୟର ୭୦ ଲକ୍ଷ ମା’ ମାନଙ୍କୁ ୬ ଲକ୍ଷ ଏସଏଚଜି ଜରିଆରେ ଏହା ଏକାଠି କରିପାରିଛି । ଏହି ଆନ୍ଦୋଳନକୁ ଆହୁରି ଆଗକୁ ନେବା ପାଇଁ ତାଙ୍କ ସରକାର ସ୍ୱତନ୍ତ୍ର ଭାବରେ ମିଶନ ଶକ୍ତି ବିଭାଗ ଗଠନ କରିଛନ୍ତି । ସବୁ ଏସଏଚଜି କାର୍ଯ୍ୟକ୍ରମ ଏହି ବିଭାଗ ଜରିଆରେ ହିଁ କାର୍ଯ୍ୟକାରୀ କରାଯାଉଛି ।