ଭୁୁବନେଶ୍ୱର: ବ୍ରିଟେନ୍ ରେ ଠାବ ହୋଇଥିବା କରୋନା ଭୂତାଣୁର ନୂଆ ରୂପ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଇତିମଧ୍ୟରେ ଏହି ନୂଆ ଭୂତାଣୁ ୪ଟି ମହାଦେଶକୁ ବ୍ୟାପିଗଲାଣି । ଭାରତରେ ଏହାର ପ୍ରବେଶକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି । ଆମ ରାଜ୍ୟ ସରକାର ମଧ୍ୟ ଏଥିପ୍ରତି ଯଥେଷ୍ଟ ସତର୍କ ଅଛନ୍ତି । ଏତିକିବେଳେ ୬୨ ଜଣ ବ୍ରିଟେନ୍ ଫେରନ୍ତା ସମସ୍ତଙ୍କ ନିଦ ହଜାଇ ଦେଇଛନ୍ତି । ବ୍ରିଟେନ୍ ରୁ ଓଡ଼ିଶା ଫେରିଥିବା ଏମାନଙ୍କ ଖୋଜଖବର ମିଳୁନାହିଁ ।
ଜାଣତରେ ହେଉ କି ଅଜାଣତରେ ହେଉ, ଏମାନେ ହୁଏତ କରୋନାର ନୂଆ ଷ୍ଟ୍ରେନ୍ ସାଙ୍ଗରେ ଧରି ଆସିପାରିଥାନ୍ତି ଏହି ଭୟ ସମସ୍ତଙ୍କୁ ଘାରିଛି । ସେମାନଙ୍କ ଠିକଣା ପାଉ ନ ଥିବା ରାଜ୍ୟ ସରକାର ନାଚାର ହୋଇଯାଇଛନ୍ତି ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ କହିବାନୁଯାୟୀ, ନଭେମ୍ବର ୩୦ ରୁ ଡିସେମ୍ବର ୨୧ ତାରିଖ ମଧ୍ୟରେ ବ୍ରିଟେନ୍ ରୁ ଓଡ଼ିଶା ଆସିଛନ୍ତି ୧୮୧ ଜଣ । ସେମାନଙ୍କ ମଧ୍ୟରୁ ୧୧୯ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଛି । ସେଥିରୁ ୬ ଜଣଙ୍କର ପଜିଟିଭ୍ ବାହାରିଛି । ଏମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ପୃଥକ୍ ରଖାଯାଇ ଚିକିତ୍ସା କରାଯାଉଛି । ତେବେ ଅବଶିଷ୍ଟ ୬୨ ବ୍ରିଟେନ୍ ଫେରନ୍ତାଙ୍କର ପତ୍ତା ମିଳୁନି । କାହାରି ଫୋନ୍ ଲାଗୁନି ତ ଆଉ କେହି ଫୋନ୍ ଉଠାଉନାହାନ୍ତି । ସେମାନେ ଭୁଲ୍ ନମ୍ବର ଦେଇପାରିଥାନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁମାନ କରିଛନ୍ତି ।
ଏବେ ପ୍ରଶ୍ନ ଯେ ଏହି ୬୨ ଜଣ ବ୍ରିଟେନ୍ ଫେରନ୍ତା ତେବେ କେଉଁଠି ଅଛନ୍ତି? କୋଭିଡ୍ ଟେଷ୍ଟ୍ କରିଛନ୍ତି ନା ନାହିଁ? ଯଦି କରିଛନ୍ତି ସେମାନଙ୍କ ରିପୋର୍ଟ କ’ଣ? ଯଦି ପଜିଟିଭ୍ ଏବଂ ଡାକ୍ତରଖାନା ଆସିନାହାନ୍ତି, ତେବେ ଘରେ ଅନ୍ୟମାନଙ୍କୁ ସଂକ୍ରମିତ କରିବେ ନାହିଁ କି? ଯଦି କରୋନା ନୂଆ ଷ୍ଟ୍ରେନ୍ ଧରି ଆସିଥାଆନ୍ତି ତେବେ ଅନ୍ୟମାନଙ୍କୁ ସଂକ୍ରମିତ କରି ରାଜ୍ୟବାସୀଙ୍କୁ ବିପଦରେ ପକାଇବେନି ତ?
ସୂଚନାଥାଉକି, କରୋନାର ନୂଆ ରୂପ ୭୦ ପ୍ରତିଶତ ଅଧିକ ସଂକ୍ରମଣକ୍ଷମ ବୋଲି କୁହାଯାଉଛି । ବିଶେଷଜ୍ଞମାନେ ଏ ନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ନ ଥିଲେ ମଧ୍ୟ ସମସ୍ତଙ୍କୁ ଆତଙ୍କିତ କରିଛି । ଯଦି ତାହା ସତ, ତେବେ ଭୟ ହେବା ସ୍ୱାଭାବିକ । ଏତିକିବେଳେ କିଛି ବ୍ରିଟେନ୍ ଫେରନ୍ତାଙ୍କ ବେପରୁଆ ଆଚରଣ ଆମ ପାଇଁ ବିପଦ ଆଣିବା ଥୟ । ବର୍ତ୍ତମାନ ସ୍ଥିତିରେ ଆମ ଦେଶ ଓ ରାଜ୍ୟରେ କରୋନା ନିୟନ୍ତ୍ରଣରେ ଥିଲେ ମଧ୍ୟ ପୁଣି ଥରେ ବିଭୀଷିକା ରୂପ ନେବା ଅସମ୍ଭବ ନୁହେଁ ବୋଲି ଆଶଙ୍କା କରାଯାଉଛି ।