ଭୁବନେଶ୍ୱର: ଇଚ୍ଛାଶକ୍ତି ଥିଲେ ଦୁନିଆରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । ଏହାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ରାଜଗାଙ୍ଗପୁରର ଆନ୍ତର୍ଜାତୀୟ ହ୍ୱିଲ୍ ଚେୟାର୍ କ୍ରିକେଟ୍ ଖେଳାଳୀ ବସନ୍ତ ନିମ୍ ଶ୍ରିଷ୍ଠ । ଚାଲିବାର ଶକ୍ତି ହରାଇଥିବା ଏହି ଯୁବକ ଖାଲି କ୍ରିକେଟ୍ ରେ ନିଜର ଦକ୍ଷତା ପ୍ରଦର୍ଶନ କରିନାହାନ୍ତି, ବରଂ ବିଭିନ୍ନ ସାମାଜିକ କାର୍ଯ୍ୟରେ ଆଗ୍ରହର ସହ ସାମିଲ ହୋଇ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ।
ଗତ ୨୬ ତାରିଖ ଦିନ ରାଜଗାଙ୍ଗପୁରରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏକ ରକ୍ତଦାନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଆଉ ଏହି ସାମାଜିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବସନ୍ତ । ଶିବିରକୁ ଉଦଘାଟନ କରି ନିଜେ ଆଗ ରକ୍ତଦାନ କରିବାକୁ ଆଗଭର ହୋଇଥିଲେ । ଏଥିସହ ନିଜେ ସେଠାରେ ଉପସ୍ଥିତ ରହି ରକ୍ତଦାନ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ବସନ୍ତଙ୍କ ନିଷ୍ଠାପରତା ଓ ସେବା ମନୋବୃତ୍ତି ସେଠାରେ ଉପସ୍ଥିତ ଲୋକମାନଙ୍କୁ ଚକିତ କରିଥିଲା । ୧୦୮ ୟୁନିଟ୍ ରକ୍ତ ସଂଗ୍ରହ ସହ ଏହି ଅଭିଯାନକୁ ସେଦିନ ମିଳିଥିଲା ବିପୁଳ ସଫଳତା ।
ରକ୍ତଦାନ ଶିବିରରେ ବସନ୍ତଙ୍କ ଉତ୍ସର୍ଗୀକୃତ ମହତ୍ ଯୋଗଦାନ ପାଇଁ ପ୍ରଶଂସାର ସୁଅ ଛୁଟିଛି । ସମାଜ ପ୍ରତି ଅଙ୍ଗୀକାରବୋଧ ଥିଲେ କେହି ତାକୁ ଅଟକାଇ ପାରିବେ ନାହିଁ, ଯାହାର ଜ୍ୱଳନ୍ତ ଉଦାହରଣ ଥିଲେ ବସନ୍ତ ନିମ୍ ଶ୍ରିଷ୍ଠ । ଏହି ମହାନ୍ କାର୍ଯ୍ୟ ପାଇଁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।