ଭୁବନେଶ୍ୱର: ବର୍ଷ ଶେଷରେ ବଡ଼ ନିଷ୍ପତ୍ତି । ଏଣିକି ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଡାକ୍ତରୀ ଓ ଇଂଜିନିୟରିଂ ସିଟ୍ ସଂରକ୍ଷିତ ରହିବ । ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥା ଲାଗୁ କରିବାକୁ ସଂକଳ୍ପ ଆଗତ ହୋଇଛି ।
ସରକାରୀ ସ୍କୁଲ୍ ରେ ପାଠ ପଢ଼ୁଥିବା ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନେ କୋଚିଂ ସୁବିଧା ପାଉ ନ ଥିବାରୁ ପ୍ରବେଶିକା ପରୀକ୍ଷାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କର ସବୁ ଯୋଗ୍ୟତା ଥାଇ ବି ଡାକ୍ତରୀ କିମ୍ବା ଇଂଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାରୁ ବଞ୍ଚିତ ହେଉଥିବାରୁ ସମାନତା ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।
ସଂରକ୍ଷଣ ବ୍ୟବସ୍ଥା କିଭଳି ହେବ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ତାହା ବିଚାର କରିବ । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କମିଟିର ଅଧ୍ୟକ୍ଷ ରହିବେ । ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ ସଦସ୍ୟ ରହିବେ । କମିଟି ୩ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । କମିଟି ସୁପାରିଶକୁ ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବ ।
ସୂଚନାଥାଉକି, ଗତ ସପ୍ତାହରେ ଅନୁଷ୍ଠିତ ବିଜେଡ଼ିର ରାଜ୍ୟ ପରିଷଦ ବୈଠକରେ ଏହି ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ତାହାକୁ ଅନୁମୋଦନ କରିଥିଲେ । ରାଜ୍ୟ ସରକାର ଅବିଳମ୍ବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେବଳ ଏଇ ଗୋଟିଏ ନୁହେଁ, ବିଜେଡ଼ି ରାଜ୍ୟ ପରିଷଦରେ ପାରିତ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବଗୁଡ଼ିକ ଉପରେ ଆଜି ରାଜ୍ୟ କ୍ୟାବିନେଟ୍ ମୋହର ବାଜିଛି ।
ଲୋକମାନଙ୍କୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ପ୍ରଶାସନ ଯୋଗାଇଦେବାକୁ ବିଜେଡ଼ି ରାଜ୍ୟ ପରିଷଦରେ ଗ୍ରହଣ ହୋଇଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ନିଜ ପ୍ରତିବଦ୍ଧତା ଦେଖାଇଛନ୍ତି । ଏଥିପାଇଁ ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାର କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ପ୍ରଦାନକୁ ବାଧ୍ୟତାମୂଳକ କରାଯାଇଛି । ସରପଞ୍ଚଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ଏବଂ ଛୋଟ କର୍ମଚାରୀଙ୍କଠାରୁ ମୁଖ୍ୟ ଶାସନ ସଚିବ ଯାଏଁ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ । ସମସ୍ତେ ଏହାକୁ ଦେଖିବା ପାଇଁ ପବ୍ଲିକ୍ ଡୋମେନ୍ ରେ ରଖାଯିବ । ପ୍ରତିବର୍ଷ ସମ୍ପତ୍ତି ତାଲିକାର ନକଲ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ ।
ବରପୁତ୍ରମାନଙ୍କ ଜନ୍ମସ୍ଥାନକୁ ଆଦର୍ଶ ଗ୍ରାମରେ ପରିଣତ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁର କରିଛି । ବରପୁତ୍ରମାନଙ୍କୁ ଉପଯୁକ୍ତ ସମ୍ମାନ ସହ ସେମାନଙ୍କର ଜନ୍ମ ଓ ମୃତୁ୍ୟ ବାର୍ଷିକୀ ପାଳନ କରାଯିବ । ସ୍କୁଲ ପାଠ୍ୟକ୍ରମରେ ଓଡ଼ିଶାର ବରପୁତ୍ରମାନଙ୍କ କାର୍ଯ୍ୟ, ଜୀବନୀ ସ୍ଥାନ ପାଇବ । ସପ୍ତମ, ଅଷ୍ଟମ, ନବମ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟାରେ ଏ ସମ୍ପର୍କିତ ବିଷୟ ଚୟନ କରାଯିବ । ବରପୁତ୍ରମାନଙ୍କ ବିଷୟରେ ପ୍ରତିଯୋଗିତାମୂଳକ ପରୀକ୍ଷା କରାଯାଇ ମେଧାବୀ ପିଲାଙ୍କୁ ସ୍ୱତନ୍ତ୍ର ସମ୍ମାନ ସହ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ । ଏଥିପାଇଁ ଶିକ୍ଷାବିତ୍ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ ହେବ ।
ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନ ଶତବାର୍ଷିକୀ ପାଳନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ମହାତ୍ମାଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଓଡ଼ିଶାକୁ ୮ ଥର ଆସିଛନ୍ତି । ମାର୍ଚ୍ଚ ୨୩, ୧୯୨୧ ରେ ମହାତ୍ମା ଗାନ୍ଧୀ ପ୍ରଥମଥର ଓଡ଼ିଶା ଆସି କଟକ କାଠଯୋଡି ନଦୀ ବାଲିରେ ଆୟୋଜିତ ଐତିହାସିକ ସମାବେଶରେ ଯୋଗ ଦେଇଥିଲେ । ଓଡ଼ିଶାରେ ଗାନ୍ଧୀଜୀଙ୍କ ପ୍ରଥମ ପଦାର୍ପଣର ଏକ ଶହ ବର୍ଷ ପୂର୍ତ୍ତିକୁ ସ୍ମରଣଈୟ କରିବା ପାଇଁ ୨୩ ମାର୍ଚ୍ଚ ୨୦୨୧ ରୁ ଏକ ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଶତବାର୍ଷିକୀ ମହାସମାରୋହ ପାଳନ କରାଯିବ । ମହାତ୍ମାଙ୍କ ନୀତି, ଆଦର୍ଶ ଏବଂ ସର୍ବୋପରି ‘ଅହିଂସା’ ମନ୍ତ୍ରରେ ଏହା ଓଡ଼ିଶାବାସୀଙ୍କୁ ଉଦବୁଦ୍ଧ କରିବା ସହିତ ଆମ ଯୁବପିଢ଼ୀକୁ ମହାତ୍ମାଙ୍କ ମହାନୀୟତାରେ ଉଦବୁଦ୍ଧ କରିବାରେ ସହାୟକ ହେବ ବୋଲି କୁହାଯାଇଛି ।
ଅନ୍ୟ ନିଷ୍ପତ୍ତି ମଧ୍ୟରେ ରହିଛି, ପ୍ରାସଙ୍ଗିକତା ହରାଇଥିବା ୨୦୬ ଟି ପୁରୁଣା ଆଇନ ହଟାଯିବ । ୧୯୭୪ ରୁ ୨୦୧୬ ମସିହା ମଧ୍ୟରେ ଏହି ଆଇନଗୁଡ଼ିକ ପ୍ରଣିତ ହୋଇଥିଲା । ମାତ୍ର ଏବେ ତାହା ଅପ୍ରାସଙ୍ଗିକ ହୋଇପଡ଼ିଥିବା ସରକାର ହୃଦବୋଧ କରିଛନ୍ତି ।
ଓକିଲମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ମଂଜୁର କରିଛନ୍ତି । ଏଥିରେ କୌଣସି ଓକିଲଙ୍କ ମୃତ୍ୟୁ ହେଲେ କିମ୍ବା ଅକ୍ଷମତା ପାଇଁ ସେବାରୁ ନିବୃତ୍ତ ହେଲେ ତାଙ୍କୁ ଅଧିକ ସହାୟତା ମିଳିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଜି ମୋଟ ୧୨ ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।