ଭୁବନେଶ୍ୱର: ଖୋଲା ଆକାଶ ତଳେ ପ୍ରବଳ ଶୀତ କାକରରେ ରାତି କାଟୁଥିବା ଗରିବ ଅସହାୟ ମଣିଷ ପାଖରେ ଛିଡ଼ା ହୋଇଛି ‘ଓଡ଼ିଶା ମୋ ପରିବାର’ । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ଏଥିପାଇଁ ଶନିବାର ରାତିରେ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା । ଟ୍ୱିନ୍ ସିଟିର ରାସ୍ତାକଡ଼, ଫୁଟପାଥ ଓ ରେଳଷ୍ଟେସନ୍ ରେ ଜୀବନ ସହ ଯୁଝୁଥିବା ଏହି ମଣିଷଙ୍କ କଷ୍ଟ ଲାଘବ କରି ମୁହଁରେ ହସ ଫୁଟାଇବା ଥିଲା ମୁଖ୍ୟ ଉଦ୍ଦେଶ୍ୟ । ଏହି ନିଆରା ଅଭିଯାନ ଜରିଆରେ ୨୦୦ରୁ ଅଧିକ ପରିବାର ଓ ବ୍ୟକ୍ତିବିଶେଷଙ୍କୁ ଉପକୃତ କରାଯାଇପାରିଛି ।
ଶନିବାର ବିଳମ୍ବିତ ରାତିରେ ଉଭୟ ଭୁବନେଶ୍ୱର ଓ କଟକ ସହରରେ ଏକା ସମୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ନିଜେ ଏହାର ନେତୃତ୍ୱ ନେଇଥିଲେ । ଭୁବନେଶ୍ୱରର ରେଳଷ୍ଟେସନ୍, ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ରାଜମହଲ ଓଭରବ୍ରିଜ୍ ତଳେ ବିନା କମ୍ବଳରେ ଛୋଟ ପିଲାଙ୍କୁ ଧରି ରାତି କାଟୁଥିବା ମଣିଷଙ୍କ ପାଖରେ ପହଞ୍ଚି ସେମାନଙ୍କୁ କମ୍ବଳ ଓ ଶୀତବସ୍ତ୍ର ବଣ୍ଟନ କରିଥିଲେ । ଶ୍ରୀ ପଟ୍ଟନାୟକଙ୍କ ସହ ବିଧାୟକ ଅନନ୍ତ ନାରାୟଣ ଜେନା, ଯୁବନେତା ରୁଦ୍ର ସାମନ୍ତରାୟ, ବିରଞ୍ଚି ନାରାୟଣ ମହାସୁପକାର, ମୀରା ପରିଡ଼ା ପ୍ରମୁଖ ସାମିଲ ଥିଲେ ।
ସେହିଭଳି କଟକରେ ବାଦାମବାଡି ବସଷ୍ଟାଣ୍ଡ, ରେଳଷ୍ଟେସନ, କାଳୀ ମନ୍ଦିର ଏବଂ ସାଇମନ୍ଦିର ସାମ୍ନାରେ ଗରିବ ଅସହାୟଙ୍କ ପାଖରେ ପହଞ୍ଚି ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଏବଂ ଜୀବନ ବିନ୍ଦୁ ସଂଯୋଜକ ରଞ୍ଜନ ବିଶ୍ୱାଳ ଏହାର ନେତୃତ୍ୱ ନେଇଥିଲେ ।
ଏହି ମହତ୍ କାର୍ଯ୍ୟ ପାଇଁ ଓଡ଼ିଶା ମୋ ପରିବାର ଟିମ୍ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ପ୍ରବଳ ଶୀତକୁ ଖାତିର ନ କରି ମଧ୍ୟରାତ୍ର ପର୍ଯ୍ୟନ୍ତ ସେମାନେ ଅଭିଯାନରେ ନିଜକୁ ସାମିଲ କରିଥିଲେ ।
ଆଗାମୀ ଦିନରେ ଏଭଳି ଅଭିଯାନ ଜାରି ରହିବ । ଦୁର୍ଦ୍ଦଶାରେ ଜୀବନ କାଟୁଥିବା ଗରିବ ଓ ଅସହାୟ ମଣିଷଙ୍କ ପାଖରେ ଛିଡ଼ା ହେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ମୋ ପରିବାର ଟିମ୍ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ବୋଲି ଆବାହକ ଶ୍ରୀ ଅରୂପ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।