ଭୁବନେଶ୍ୱର: ରାଜ୍ୟରେ ଚୁକ୍ତିଭିତ୍ତିକ(ଠିକା) ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ଏବଂ ସବୁ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ନିୟମିତ କରାଯିବା ନେଇ ରାଜ୍ୟ କ୍ୟାବିନେଟ୍ ର ନିଷ୍ପତ୍ତି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହି ବିଜ୍ଞପ୍ତିରେ ଗ୍ରୁପ୍- ‘ବି’, ‘ସି’, ‘ଡି’ ପଦବୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଆଇନ, ୨୦୧୩ ନିୟମକୁ ରଦ୍ଦ କରାଯାଇ ଓଡ଼ିଶା ଗ୍ରୁପ୍ ‘ବି’, ‘ସି’, ‘ଡି’ ପୋଷ୍ଟସ୍(ରିପିଲ୍ ଆଣ୍ଡ ସ୍ପେଶାଲ ପ୍ରୋଭିଜନସ୍) ରୁଲସ୍, ୨୦୨୨ ପ୍ରଣୟନ କରାଯାଇଛି । ଏଥିରେ ଇନିସିଆଲି ଆପଏଣ୍ଟି ଙ୍କୁ ସ୍ଥାୟୀ କର୍ମଚାରୀ କରାଯାଇଛି । ଚୁକ୍ତିଭିତ୍ତିକ ନିଯୁକ୍ତି ଦିନ ଠାରୁ ସେମାନଙ୍କ ପାଇଁ ନୋସନାଲ ଇନକ୍ରିମେଣ୍ଟ ଲାଗୁ ହେବ । ନିଯୁକ୍ତି ପାଇବା ଦିନଠୁ ସେମାନଙ୍କ ଇନକ୍ରିମେଣ୍ଟ ହିସାବ କରାଯିବ । ଯେଉଁମାନେ ୬ ବର୍ଷ ଅବଧି ପୂରଣ କରିଛନ୍ତି, ନିଯୁକ୍ତି ଦିନରୁ ଇନକ୍ରିମେଣ୍ଟ ହିସାବ କରାଯିବ । ଇନକ୍ରିମେଣ୍ଟ ସହ ପଦୋନ୍ନତି ଦିଆଯିବ । ବରିଷ୍ଠତା ଭିତ୍ତିରେ ସରକାରୀ ଚାକିରିର ସବୁ ସୁବିଧା ପାଇବେ ।
ଏହି ବ୍ୟବସ୍ଥାରେ ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହୋଇଛନ୍ତି ।








