ଭୁବନେଶ୍ୱର: ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଅମାନୁଷିକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବଂ କିଙ୍ଗପିନ୍ ହେଉଛନ୍ତି ଜଗନ୍ନାଥ ପ୍ରଧାନ । ତାଙ୍କୁ ତୁରନ୍ତ ଗିରଫ କର । ଆଜି ଓଏଏସ୍ ଅଫିସର ସଂଘ ବୈଠକରେ ଏହି ପ୍ରସ୍ତାବ ପାରିତ ହେବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦାବିପତ୍ର ଦିଆଯାଇଛି ।
ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇ ନ ଥିବାରୁ ଓଏଏସ୍ ଅଫିସର ସଂଘ ବୈଠକରେ ଉଦବେଗ ପ୍ରକାଶ ପାଇଛି । ଘଟଣା ଦିନ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଘଟଣାରେ ଜଡ଼ିତ କାହାରିକୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏହି ଅମାନୁଷିକ କାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କିଙ୍ଗପିନ୍ ହେଉଛନ୍ତି ଜଗନ୍ନାଥ ପ୍ରଧାନ । ତାଙ୍କୁ ଗିରଫ କରାଯାଉ ।
ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ପତ୍ରରେ ସଂଘ ପକ୍ଷରୁ କୁହାଯାଇଛି ଯେ ଏହି ଆକ୍ରମଣ ବ୍ୟକ୍ତି ଉପରେ ନୁହେଁ, ସେବା ବ୍ୟବସ୍ଥା ଉପରେ ହୋଇଛି । ଏହା ଅଫିସରମାନଙ୍କ ମନବଳ ଭାଙ୍ଗିଦେଇଛି । ଦୋଷୀଙ୍କୁ କଠୋର ଦଣ୍ଡ ଦିଆ ନ ଗଲେ ଖରାପ ପରମ୍ପରା ସୃଷ୍ଟି ହେବ ଏବଂ ଅପରାଧୀଙ୍କ ମନବଳ ବଢ଼ିବ ।
ଏହି ପରିପ୍ରେକ୍ଷୀରେ ଫିଲ୍ଡରେ କାର୍ଯ୍ୟରତ ଅଫିସରମାନଙ୍କୁ ପର୍ଯ୍ୟପ୍ତ ସୁରକ୍ଷା ଦେବାକୁ ସଂଘ ପକ୍ଷରୁ ମଧ୍ୟ ଦାବି କରାଯାଇଛି । ଦାବିପୂରଣ ନ ହେବା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଓଏଏସ୍ ଅଫିସର ଛୁଟିରେ ରହିବେ । ସରକାର ଘଟଣାକୁ ଗୁରୁତର ସହ ନେଇ ତ୍ୱରିତ ପଦକ୍ଷେପ ନେବେ ବୋଲି ଆଶା କରାଯାଇଛି ।
ଓଏଏସ୍ ସଂଘର ନିଷ୍ପତ୍ତିକୁ ସମର୍ଥନ ଜଣାଇଛି ଓଆରଏସ୍ ସଂଘ । ଓଆରଏସ୍ ସଂଘର ବୈଠକରେ ବିଏମସିରେ ଘଟିଥିବା ବର୍ବର କାଣ୍ଡକୁ ନିନ୍ଦା କରାଯାଇଛି । ଦାବି ପୂରଣ ନ ହେବା ଯାଏଁ ରଥ, ବନ୍ୟା ଡ୍ୟୁଟି ଛଡ଼ା ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି । ସେମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ରାଜସ୍ୱମନ୍ତ୍ରୀଙ୍କ ନିବେଦନକୁ ସଂଘ ପ୍ରତ୍ୟାଖାନ କରିଛି ।
ଏପଟେ ଅତିରିକ୍ତ କମିସନରଙ୍କୁ ଅମାନୁଷିକ ମାଡ଼ ପ୍ରତିବାଦରେ ବିଏମସି କର୍ମଚାରୀଙ୍କ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ସମସ୍ତେ ଛୁଟି ନେଇ ଯାଇଛନ୍ତି । ମେୟର ସୁଲୋଚନା ଦାସ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ଗଣମାଧ୍ୟମକୁ ମେୟର ତାଙ୍କ ପ୍ରତିକ୍ରିୟାରେ ଘଟଣାର ମାଷ୍ଟର ମାଇଣ୍ଡକୁ ଗିରଫ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି, ଏହି ଘଟଣାର ମାଷ୍ଟର ମାଇଣ୍ଡ କିଏ ତାହା ସ୍ପଷ୍ଟ ହୋଇସାରିଛି । ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲେ କେହି ଆଇନକୁ ହାତକୁ ନେବେ ନାହିଁ । ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଛୁ । ମାତ୍ର ଓଏଏସ୍ ସଂଘ ନିଷ୍ପତ୍ତି ଅନୁସାରେ ସମସ୍ତେ ଛୁଟିରେ ଅଛନ୍ତି ।
ବିଏମସିରେ ମଧ୍ୟ ସମସ୍ତେ ଛୁଟିରେ ରହିଛନ୍ତି । ମେୟର ଭାବେ ମୁଁ ସମର୍ଥନ କରୁଛି ଓ ସେମାନଙ୍କ ସହ ରହିଛି । ମୁଖ୍ୟ ଅଭିଯୁକ୍ତ ନ ଧରା ହେବା ଯାଏଁ କାମରେ ଯୋଗ ଦେବୁ ନାହିଁ । କମିସନର ନିଜେ କହିଛନ୍ତି ଆଇନର ଉଦ୍ଧ୍ୱର୍ରେ କେହି ନୁହଁନ୍ତି । ବର୍ତ୍ତମାନ ବିଏମସିରେ କେହି ନିଜକୁ ସୁରକ୍ଷିତ ମଣୁନାହାନ୍ତି ।
ସୂଚନାଥାଉକି, ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିବା ବେଳେ କର୍ପୋରେଟର ଜୀବନ ରାଉତଙ୍କ ନେତୃତ୍ୱରେ ଅଧଡର୍ଜନ ବିଜେପି ମାର୍କା ଗୁଣ୍ଡା ତାଙ୍କୁ ଚାମ୍ବରରୁ ଘୋଷାରି ଆଣି ଅତି ନିର୍ଦ୍ଦୟ ଓ ଅମାନୁଷିକ ଭାବେ ତଳେ ପକାଇ ବିଧା ଗୋଇଠା ମାରିଥିଲେ । ଏହି ଘଟଣାରେ ଏ ପର୍ଯ୍ୟନ୍ତ ପୁଲିସ ବିଜେପି କର୍ପୋରେଟର ଜୀବନ ରାଉତଙ୍କ ସହ ୫ ଜଣଙ୍କୁ ଗିରଫ କରିଛି । ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ନେତା ଜଗନ୍ନାଥ ପ୍ରଧାନ ଓରଫ୍ “ଜଗା ଭାଇ’ ଙ୍କର ସମସ୍ତେ ହେଉଛନ୍ତି ଚେଲା । ଜଗାଙ୍କ ଇଙ୍ଗିତରେ ସେମାନେ ବିଏମସି ଅଫିସରେ ପଶି ଏହି ଆକ୍ରମଣ କରିଥିବା ଖାଲି ଅଭିଯୋଗ ନୁହେଁ, ପାରିପାଶ୍ୱିର୍କ ଘଟଣା ବୟାନ କରୁଛି ।
ଖାଲି ସେତିକି ନୁହେଁ, ରତ୍ନାକର ସାହୁଙ୍କୁ ମାଡ଼ ମାରିଥିବା ଗୁଣ୍ଡା ଗ୍ୟାଙ୍ଗରେ ଆଉ ଜଣେ କାର୍ପଟଦାରଙ୍କୁ ପୁଲିସ ଏ ପର୍ଯ୍ୟନ୍ତ ଗିରଫ କରିନାହିଁ । ସେ ଜଗାଙ୍କର ସମ୍ପର୍କୀୟ ବୋଲି କୁହାଯାଉଛି । ପେସାରେ ସେ ଠିକାଦାର ଏବଂ ବିଜେପି ସରକାର ଆସିଲା ପରେ ତାଙ୍କର ତାକତ୍ ବଢ଼ିଯାଇଛି । ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି । ତାଙ୍କୁ ମଧ୍ୟ ତୁରନ୍ତ ଗିରଫ କରିବାକୁ ଦାବି ହେଲାଣି ।
ମାରାତ୍ମକ କଥା ହେଉଛି, ମାଡ଼ ଭିଡ଼ିଓ ଭାଇରାଲ୍ ହୋଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହେବା ପରେ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜଗା ଭାଇ ନିଜକୁ ନିଦେ୍ର୍ଦାଷ ଦେଖାଇବାକୁ ବିଭିନ୍ନ କୌଶଳ ଖଟାଇଛନ୍ତି । ଗତକାଲି ପ୍ରେସ୍ ମିଟ୍ କରି ସେ ପାଲଟା ରତ୍ନାକର ସାହୁଙ୍କୁ ବିଜେଡି ଏଜେଣ୍ଟ ବୋଲି ଚିତ୍ରଣ କରିଥିଲା ବେଳେ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଣୁତେଣୁ ଗପୁଛନ୍ତି । ମୂଳ ଅପରାଧ ଘଟଣାରୁ ହଟି ରାଜନୈତିକ ଦିଗ ଆଡକୁ ଘଟଣା ମୋଡ଼ୁଛନ୍ତି ।
ଏସବୁ ଦୃଶ୍ୟ ଯାଦୁଆର ଯାଦୁ ମଲମ ବିକିଲା ଭଳି ହୋଇଛି । କାରଣ ଏହି ଘଟଣା ପଛରେ ସେ ହିଁ ମୁଖ୍ୟ ବୋଲି ପରୋକ୍ଷରେ ସ୍ୱୀକାର କରି ଚାଲିଛନ୍ତି । ଏହି ବକ୍ତବ୍ୟ ତାଙ୍କ ପାଇଁ ବୁମେରାଂ ବୋଲି ସେ ବୋଧହୁଏ ଜାଣିପାରୁନାହାନ୍ତି । କାରଣ ଯେଉଁ ଘଟଣାଟି ଘଟିଛି ତାହା ସାଧାରଣ ଜନତାଙ୍କୁ ମଧ୍ୟ ବିଚଳିତ କରିଛି । ସାରା ରାଜ୍ୟରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଅତଏବ ରାଜନୈତିକ ରୁଟି ସେକି ସେଥିରୁ ଜଗା ବାବୁ ଖସିଯିବା ଅସମ୍ଭବ ମନେ ହେଉଛି ।
ଏହି ଘଟଣାକୁ ନେଇ ରାଜ୍ୟ ସରକାର ଭୀଷଣ ବଦନାମ ହୋଇ ସାରିଲେଣି । ଏଥିପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ବିଚଳିତ ଅଛନ୍ତି । ଏହା ସତ୍ତ୍ୱେ ମାଷ୍ଟର ମାଇଣ୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ କେଉଁ ଶକ୍ତି ଅଟକେଇଛି ତାହା ବୁଝାପଡୁନି । ସେପଟେ ଘଟଣାର ମାଷ୍ଟର ମାଇଣ୍ଡ ଭାବେ ଜଗା ପ୍ରଧାନଙ୍କ ନାଁ ହୁରି ପଡ଼ିଥିଲେ ମଧ୍ୟ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ବିରୋଧରେ ଏ ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଏହାକୁ ନେଇ ବିଜେପି ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଛି ।
Continue Reading