ଭୁବନେଶ୍ୱର: ଭୁବନେଶ୍ୱରରୁ ଆରମ୍ଭ କରି ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, ଭଦ୍ରକ, ଯାଜପୁର । ଯୁଆଡ଼େ ଦେଖିବ ପୁଳା ପୁଳା ସମ୍ପତ୍ତି । ଭୁବନେଶ୍ୱର ଛାତି ଉପରେ ବିଶାଳ କୋଠା, ଦୁଇ ଦୁଇଟି ଫ୍ଲାଟ୍ । କେବଳ ଯାଜପୁରରେ ୩୨ଟି ପ୍ଲଟ୍ କୁ ମିଶାଇ ମୋଟ ୪୨ ପ୍ଲଟ୍ । ଚାକିରି ସାଙ୍ଗକୁ ବାବୁଙ୍କର ପୁଣି ବେପାର । ଭୁବନେଶ୍ୱର ନୟାପଲ୍ଲୀରେ ଔଷଧ ଦୋକାନ । ଢ଼େଙ୍କାନାଳରେ କ୍ରସର୍ ୟୁନିଟ୍ ।
ଭିଜିଲାନସ୍ ଜାଲରେ ପଡ଼ିଥିବା ଏହି ଖାଉ ବାବୁ ହେଉଛନ୍ତି ପ୍ରଦୀପ କୁମାର ରଥ । ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ୍(ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଭିଜିଲାନସ୍ ଆଜି ଭୁବନେଶ୍ୱର, କଟକ, ଭଦ୍ରକ, ଯାଜପୁର ଏବଂ ଖୋର୍ଦ୍ଧାରେ ଥିବା ତାଙ୍କ ଘର, ଅଫିସ ଏହିଭଳି ମୋଟ ୧୨ଟି ଜାଗାରେ ଚଢ଼ଉ କରିଛି । ଦ୍ୱିପ୍ରହର ସୁଦ୍ଧା ତାଙ୍କର ଠାବ ସମ୍ପତ୍ତି ଭିଜିଲାନସ୍ ଅଧିକାରୀମାନଙ୍କୁୂ ତାଜୁବ୍ କରିଦେଇଛି ।
ଏହି କରିତକର୍ମା ଯନ୍ତ୍ରୀ ଭୁବନେଶ୍ୱର ପାଣ୍ଡରାସ୍ଥିତ ସତ୍ୟ ବିହାରରେ ସପରିବାର ରହନ୍ତି । ତାଙ୍କର ସେଇଟା ତିନି ମହଲା କୋଠା । ଭଦ୍ରକରେ ମଧ୍ୟ ତାଙ୍କର ଆଉ ଏକ ତିନି ମହଲାର ଆବାସିକ କୋଠା ରହିଛି । ଏହାବାଦ୍ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଓୟଷ୍ଟର୍ ଆପାର୍ଟମେଣ୍ଟରେ ଏକ ଫ୍ଲାଟ୍ ଏବଂ ପାତ୍ରପଡ଼ାରେ ଏକ ଫ୍ଲାଟ୍ ଅଛି । ଢ଼େଙ୍କାନାଳରେ ଏକ କ୍ରସର୍ ୟୁନିଟ୍ ଅଛି । ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟ୍ ରେ ଏକ ଔଷଧ ଦୋକାନ ଅଛି ।
ବର୍ତ୍ତମାନ ସୁଦ୍ଧା ବାବୁଙ୍କର ଠାବ ୪୨ଟି ପ୍ଲଟ୍ ମଧ୍ୟରୁ ଭୁବନେଶ୍ୱରରେ ୩ଟି, ଖୋର୍ଦ୍ଧାରେ ୧, କଟକରେ ୨, ଭଦ୍ରକରେ ୨ ଏବଂ ଢ଼େଙ୍କାନାଳରେ ୨ଟି ପ୍ଲଟ୍ ଅଛି । ଏହି ସବୁ ପ୍ଲଟ୍ କୁୁ ନିଜ ନାଁରେ, ପତ୍ନୀଙ୍କ ନାଁରେ ଏବଂ ସମ୍ପର୍କୀୟଙ୍କ ନାଁରେ କିଣିଛନ୍ତି । ଜାଗାର ରେଜିଷ୍ଟ୍ରଡ୍ ସେଲ୍ ଡିଡ୍ ମୂଲ୍ୟ ୧ କୋଟି ୫ ଲକ୍ଷ ହୋଇଥିଲେ ମଧ୍ୟ ପ୍ରକୃତ ମୂଲ୍ୟ ଏହାଠାରୁ ବହୁତ ଅଧିକ ।
ବିଭିନ୍ନ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସରେ ବାବୁଙ୍କର ୮୮ ଲକ୍ଷ ଟଙ୍କା ଜମା ରାଶି ରହିଛି । ଇନସ୍ୟୁରାନ୍ସ ଏବଂ ଅନ୍ୟାନ୍ୟ ଜମାରାଶିର ସୁରାକ୍ ମିଳିବା ପରେ ଭିଜିଲାନସ୍ ଅଧିକାରୀମାନେ ତାହାର ଯାଞ୍ଚ କରୁଛନ୍ତି । ତାଙ୍କ ଘରୁ ପୁଳା ପୁଳା ସୁନା ଅଳଙ୍କାର ବି ଠାବ ହୋଇଛି ।
ତାଙ୍କର ଗୋଟେ ଇକୋ ସ୍ପୋର୍ଟସ୍ କାର, ଦୁଇଟି ଜେସିବି, ଗୋଟେ ଏସକାଭାଟର ଏବଂ ଦୁଇଟି ବାଇକ୍ ଠାବ ହୋଇଛି ।
ଅନୁସନ୍ଧାନ ଜାରି ରହିଥିବାରୁ ପ୍ରଦୀପ ରଥଙ୍କର ଆହୁରି ଅଧିକ ସମ୍ପତ୍ତି ଠାବ ହେବାର ଅନୁମାନ କରାଯାଉଛି ।
ଭିିଜିଲାନସ୍ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ରେ ଏହାର ସମସ୍ତ ତଥ୍ୟ ଦିଆଯାଉଥିଲେ ମଧ୍ୟ ବାବୁଙ୍କର ଫଟୋ କିନ୍ତୁ ଦିଆଯାଇନାହିଁ । ଭିଜିଲାନସ୍ ଜାଲରେ ପଡୁଥିବା ଛୋଟିଆ କର୍ମଚାରୀଙ୍କ ଫଟୋ ଦିଆଯାଉଥିବା ବେଳେ ସମ୍ପତ୍ତିର ପାହାଡ଼ ଛିଡ଼ା କରିଥିବା ବଡ଼ବଡ଼ିଆଙ୍କ କ୍ଷେତ୍ରରେ ଭିଜିଲାନସ୍ ର ଏହି ଉପର୍ଧ ମନୋଭାବ ଚର୍ଚ୍ଚାର ବିଷୟ ହୋଇଛି । ଏହିଭଳି ବାବୁମାନଙ୍କ ଫଟୋ ସେୟାର୍ କରିବାକୁ ଭିଜିଲାନସ୍ ଅଧିକାରୀମାନେ କୁଣ୍ଠିତ କାହିଁକି ବୋଲି ପ୍ରଶ୍ନ ଉଠିଛି ।







