ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ପ୍ରାମାଣିକ ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଓ ନିର୍ଦେଶିତ ଡକ୍ୟୁ ଫିଲ୍ମ- ‘ମିଶନ ଶକ୍ତି’କୁ ‘ଅନ୍ତଃରାଷ୍ଟ୍ରୀୟ ପ୍ରଶଂସା ମିଳିଛି I
ଜାତିସଂଘ ଦ୍ୱାରା ଆମେରିକାରେ ସିଆଟେଲ ଠାରେ ଅନୁଷ୍ଠିତ ‘ସି ଫୁଡ ଏଲାଏନ୍ସ’ ଶୀର୍ଷକ ବିଶ୍ୱସ୍ତରୀୟ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶରୁ ମହିଳା ସଶକ୍ତିକରଣ ଉପରେ ଶତାଧିକ କ୍ଷୁଦ୍ର ଡକ୍ୟୁ ଫିଲ୍ମ ପ୍ରଦର୍ଶିତ ହୋଇଥିଲା I ସମ୍ମିଳନୀରେ ଓଡ଼ିଶା ଅଂଶ ଗ୍ରହଣ କରିବା ସହ ୩ ମିନିଟ୍ ୨୨ ସେକେଣ୍ଡର ‘ମିଶନ ଶକ୍ତି’ ଶୀର୍ଷକ କ୍ଷୁଦ୍ର ଡକ୍ୟୁ ଫିଲ୍ମ ପ୍ରଦର୍ଶିତ ହୋଇଥିଲା I ଏହାକୁ ମିଶନ ଶକ୍ତି ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଥିଲା I
ଓଡ଼ିଶାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କେମିତି ପଞ୍ଚାୟତ ପୋଖରୀରେ ମାଛ ଚାଷ କରି ସଫଳତା ପାଇଛନ୍ତି ତାହା ଉକ୍ତ ଡକ୍ୟୁ ଫିଲ୍ମରେ ନିଚ୍ଛକ ଭାବେ ପ୍ରଦର୍ଶିତ ହୋଇଥିବା ଦେଖି ଉପସ୍ଥିତ ବିଚାରକ ମଣ୍ଡଳୀ ଓ ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ଅଭିଭୂତ ହୋଇଥିଲେ I ସେଥିପାଇଁ ଜାତିସଂଘ ପକ୍ଷରୁ ମିଶନ ଶକ୍ତି-ଡକ୍ୟୁ ଫିଲ୍ମ ପାଇଁ ଓଡ଼ିଶାକୁ ସମ୍ମାନିତ କରାଯାଥିଲା I ଏନେଇ ପ୍ରଶଂସା ପତ୍ର ଓ ଉପଢୌକନକୁ ପ୍ରଦାନ କରାଯାଇଥିଲା I
ଏହାର ନିର୍ମାଣ ସହ ନିର୍ଦେଶନା ଜିତେନ୍ଦ୍ର ପଟ୍ଟନାୟକ ଦେଇଥିବାରୁ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ଚିଠି ଦେଇ ସାଧୁବାଦ ଦିଆଯାଇଛିI







