ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ ଆରମ୍ଭ ହୋଇଛି । ଆଜି ସକାଳ ୯ଟା ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ନିବାସ ଛାଡ଼ିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୭ ଦିନିଆ ଜାପାନ ଗସ୍ତରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସାମିଲ ହୋଇଛନ୍ତି । ଓଡ଼ିଶାକୁ ପୁଞ୍ଜି ନିବେଶକାରୀଙ୍କୁ ଆମନ୍ତ୍ରଣ କରିବା ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।
ଆସନ୍ତା ୫ ତାରିଖରେ ଟୋକିଓରେ ଆୟୋଜିତ ପୁଞ୍ଜିନିବେଶ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ଜାପାନର ପ୍ରମୁଖ ଉଦ୍ୟୋଗୀଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ । ସେଠାରେ ବସବାସ କରୁଥିବା ଓଡ଼ିଆଙ୍କ ସହ ମଧ୍ୟ କଥା ହେବେ । ଏଥିସହ କ୍ୟୋଟୋ ଓ ଓସାକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।
ଏହି ସବୁ କାର୍ଯ୍ୟକ୍ରମରେ ରହିଛି ନିପ୍ପନ୍ ଷ୍ଟିଲ୍ କର୍ପୋରେସନ୍ ର ଷ୍ଟିଲ୍ କାର୍ଯ୍ୟ ଏବଂ ଆର ଆଣ୍ଡ ଡି ସେଣ୍ଟର ପରିଦର୍ଶନ, ଜାପାନ ଏବଂ ଓଡିଶା ମଧ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ରାଉଣ୍ଡ ଟେବୁଲ ବୈଠକ ଏବଂ ସ୍ପୋର୍ଟସ୍ ଇକୋସିଷ୍ଟମ୍ ବିକାଶ ସମ୍ପର୍କିତ ଆଲୋଚନା ।
ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଯାଉଥିବା ସରକାରୀ ପ୍ରତିନିଧି ଦଳରେ ଅଛନ୍ତି- ଶିଳ୍ପମନ୍ତ୍ରୀ ଶ୍ରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, ଇପିକଲ୍ ଏମଡି ଭୁପେନ୍ଦର ପୁନିଆ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଓ ସ୍ୱତନ୍ତ୍ର ସଚିବ ଭିନୀଲ୍ କ୍ରିଷ୍ଣା ।
ସେହିଭଳି ବାଣିଜ୍ୟିକ ପ୍ରତିନିଧି ଦଳରେ ଷ୍ଟିଲ୍, ଆଲୁମିନିୟମ୍, ଟେକ୍ସଟାଇଲ୍ସ, ଫୁଡ୍ ଆଣ୍ଡ ସି-ଫୁଡ୍ ପ୍ରସେସିଂ, ଗ୍ରାନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ସେକ୍ଟରର ପ୍ରତିନିଧିମାନେ ସାମିଲ ହୋଇଛନ୍ତି ।
ରୋମ୍ ଓ ଦୁବାଇ ପରେ ମୁଖ୍ୟମନ୍ତ୍ରୀଙ୍କର ଏହି ଜାପାନ ଗସ୍ତ ବେଶ୍ ଗୁରୁତ୍ୱ ବହନ କରୁଛି । ଦୁବାଇରେ ନିବେଶକ ସମ୍ମିଳନୀରେ ୨୧ ହଜାର କୋଟିର ପୁଞ୍ଜିନିବେଶ ଆସିଥିଲା । ଜାପାନରୁ ଅଧିକ ପୁଞ୍ଜିନିବେଶ ଆଣିବାକୁ ରାଜ୍ୟ ସରକାର ଆଶା ରଖିଛନ୍ତି ।
ସୂଚନାଥାଉକି, ୨୦୧୮ ରେ ଅନୁଷ୍ଠିତ ମେକ୍ ଇନ୍ ଓଡିଶା କନକ୍ଲେଭ୍ ରେ ଜାପାନର ପ୍ରତିନିଧି ଯୋଗଦେଇ ଓଡିଶା ସହ ବାଣିଜ୍ୟିକ ସମ୍ପର୍କ ମଜବୁତ୍ କରିଛନ୍ତି । ୨୦୨୨ ରେ ଭୁବନେଶ୍ୱରରେ ଆୟୋଜିତ ମେକ୍ ଇନ୍ ଓଡିଶା କନକ୍ଲେଭ୍ ରେ ଜାପାନ କଣ୍ଟ୍ରି ପାର୍ଟନର୍ ଥିଲା ଏବଂ ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ପ୍ଲେନାରି ସେସନ୍ ରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ଜାପାନ ଆମନ୍ତ୍ରଣ କରିଥିଲେ ।







