ଭୁବନେଶ୍ୱର: ଓଡିଶାବାସୀଙ୍କୁ ଅପମାନିତ କରିଛନ୍ତି ବିରୋଧିଦଳ ନେତା ଜୟନାରାୟଣ ମିଶ୍ର । ଏପ୍ରିଲ ପହିଲା ଦିନ ସାରା ଓଡିଶା ଉତ୍ସାହ ଓ ଉଦ୍ଦୀପନାର ସହ ଓଡିଶା ଦିବସ ପାଳନ କରୁଥିବାବେଳେ ଏଭଳି ଏକ ପବିତ୍ର ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ରେଳ ପ୍ରକଳ୍ପ ଘୋଷଣାକୁ ଏପ୍ରିଲ୍ ଫୁଲ୍ ବୋଲି କହି ଉପହାସ କରି ଶ୍ରୀ ମିଶ୍ର ତାଙ୍କ ଓଡିଶା ବିରୋଧି ମାନସିକତାକୁ ଦର୍ଶାଇବା ସହିତ ଓଡିଶାବାସୀଙ୍କୁ ଅପମାନିତ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ମହାନ୍ତି କହିଛନ୍ତି ଯେ ଓଡିଶା ବିଜେପିର ନେତାମାନେ ଓଡିଶାବାସୀଙ୍କୁ ଅପମାନିତ କରିବା ଏହା ନୂଆ ନୁହେଁ । ପୂର୍ବରୁ ମଧ୍ୟ ସେମାନେ ଶାନ୍ତିପ୍ରିୟ ଓଡିଶାବାସୀଙ୍କୁ ଅରାଜକ ବୋଲି କହିଥିଲେ ଏବଂ ଓଡିଶାକୁ ଜାତୀୟ ସ୍ତରରେ ଅପମାନିତ କରିବାକୁ ଚେଷ୍ଟା କରିଥିଲେ ।
ଏପ୍ରିଲ୍ ପହିଲା ଓଡିଶା ଦିବସକୁ ଏପ୍ରିଲ ଫୁଲ୍ ବୋଲି ଅବିହିତ କରିବା ବିରୋଧିଦଳ ନେତାଙ୍କ ଓଡିଶା ପ୍ରତି ଅପମାନଜନକ ମନୋଭାବର ଅନ୍ୟ ଏକ ଉଦାହରଣ । କିଛିଦିନ ହେଲା ମାନସିକ ଭାରସାମ୍ୟ ହରାଇଥିବାରୁ ଶ୍ରୀ ମିଶ୍ର ଏଭଳି ବାଉଳିଚାଉଳି ହେଉଛନ୍ତି । ଓଡିଶା ବିଜେପି ତୁରନ୍ତ ତାଙ୍କର ମାନସିକ ଚିକିତ୍ସା କରାଉ । ନହେଲେ ସେ ଏଭଳି ଆତ୍ମଘାତୀ ମନ୍ତବ୍ୟ ଦେଇ ବିଜେପିକୁ ଓଡିଶାରୁ ସଫା କରିଦେବେ ବୋଲି ଡକ୍ଟର ମହାନ୍ତି କହିଛନ୍ତି ।