ଭୁବନେଶ୍ୱର: ଓଡ଼ିଆ ୬ଷ୍ଠ ତମ ଭାରତୀୟ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିସାରିଛି । ଏହି ଭାଷାକୁ ବିକଶିତ କରିବା ନିମନ୍ତେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ରବିବାର ଏଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆୟୋଜିତ ବିମର୍ଶରେ ବକ୍ତାମାନେ ମତ ରଖିଛନ୍ତି । ଶନିବାର ଠାରୁ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ୩ ଦିନିଆ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ରବିବାର ଦୁଇ ଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ବିମର୍ଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୁଜାରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଯୁବ ଓଡ଼ିଆ ଏବଂ ବିଶେଷ କରି ଯେଉଁମାନେ ରାଜ୍ୟ ଅଥବା ଦେଶ ବାହାରେ ରହୁଛନ୍ତି ସେମାନଙ୍କ ମନରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ଜନ୍ମାଇବା ଏବଂ ସେମାନଙ୍କୁ ମାତୃଭାଷା ବିଷୟରେ ସଚେତନ କରାଇବା ସହ ସେମାନେ ଯେପରି ଏଥିପାଇଁ ଗର୍ବ ଅନୁଭବ କରିବେ ସେହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଏହି ୩ ଦିନିଆ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇଥିବାରୁ ସୋଆକୁ ମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଉଦଘାଟନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତି୍ୟକ ତଥା ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାନବ ଶିକ୍ଷାବିତ୍ ତଥା ସଂସ୍କୃତି ବିଶେଷଜ୍ଞ ପ୍ରଫେସର ଜଗନ୍ନାଥ ଦାସ ଏବଂ ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସକାଳ’ର ସମ୍ପାଦକ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଉମାକାନ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର୍ ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମର ପ୍ରଥମ ଦିନର ଅଧିବେଶନ ଗୁଡ଼ିକରେ ଶ୍ରୀକ୍ଷେତ୍ରର ଅଭିନୟ କଳା ବିମର୍ଶ, ଶ୍ରୀଜଗନ୍ନାଥ ଚେତନା-ଦର୍ଶନ ଓ ବାସ୍ତବତା, ଓଡ଼ିଆ ସାହିତ୍ୟ ସର୍ଜନରେ ଶ୍ରୀଜଗନ୍ନାଥ ଚେତନା, ସାରୋଳଦାସ ସାହିତ୍ୟ ବିମର୍ଶ, ବଳରାମ ଦାସ ସାହିତ୍ୟ ବିମର୍ଶ, ଜଗନ୍ନାଥ ଦାସ ସାହିତ୍ୟ ବିମର୍ଶ, ମଧ୍ୟକାଳୀନ ସାହିତ୍ୟର ବିଷୟ ବୈଚିତ୍ର୍ୟ, ମଧ୍ୟକାଳୀନ ସାହିତ୍ୟରେ ବର୍ଣ୍ଣନା ବୈଚିତ୍ର୍ୟ, ଓଡ଼ିଆ ପୁରାଣ ଓ ସାହିତ୍ୟ ବିମର୍ଶ, ସନ୍ଥ ସାହିତ୍ୟ ବିମର୍ଶ ଓ ଭକ୍ତି – ପ୍ରୀତି ଚେତନା ବିମର୍ଶ ଭଳି ବିଷୟ ବସ୍ତୁ ରହିଥିଲା ।
ସେହିପରି ସୋମବାର ଆୟୋଜିତ ହେବାକୁ ଥିବା ବିମର୍ଶରେ ଜନଜାତି ନାଚ ଓ ଗୀତ, ଜନଜାତି କଥା ଓ ଗାଥା, ଜନଜାତି ଭାଷା, ଓଡ଼ିଆ ବର୍ଣ୍ଣ ଓ ଲିପି ବିମର୍ଶ, ବ୍ୟାକରଣ ବିମର୍ଶ, ଓଡ଼ିଆ ଅଭିଧାନ ବିମର୍ଶ, ପରମ୍ପରା ଓ ଆଧୁନିକତା, ଓଡ଼ିଆ ପାରମ୍ପରିକ ସଂଗୀତ, ଓଡ଼ିଆ ପାରମ୍ପରିକ ଅଭିନୟ କଳା, ଓଡ଼ିଆ ପାରମ୍ପରିକ ଚିତ୍ରକଳା, ଓଡ଼ିଆ ଶ୍ରାବ୍ୟକାବ୍ୟରେ ଆଧୁନିକତା, ଓଡ଼ିଆ କଥାକାବ୍ୟରେ ଆଧୁନିକତା ଓ ଓଡ଼ିଆ ଦୃଶ୍ୟକାବ୍ୟରେ ଆଧୁନିକତା ଭଳି ବିଷୟବସ୍ତୁ ଉପରେ ଆଲୋଚନା ହେବ ।
କାର୍ଯ୍ୟକ୍ରମର ଉଦଯାପନୀ ଅଧିବେଶନରେ ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ, ଆଲୋଚକ, ସ୍ତମ୍ଭକାର ଓ ଶିକ୍ଷାବିତ୍ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବ ।