ଭୁବନେଶ୍ୱର: ସୁପ୍ରିମ୍ କୋର୍ଟରେ ଲଢ଼ୁଥିବା ଏକ ମାମଲାରେ ଓଡ଼ିଶା ସରକାରଙ୍କୁ ଲଜ୍ଜିତ ହେବାକୁ ପଡ଼ିଛି । ସରକାରଙ୍କ ପକ୍ଷ ରଖିବାକୁ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଦୀର୍ଘ ୧ ଘଣ୍ଟା ସମୟ ନେଇଥିଲେ ମଧ୍ୟ ବିଚାରପତିଙ୍କୁ ସ୍ପଷ୍ଟତା ଦେଇପାରି ନ ଥିଲେ । ଏଥିଯୋଗୁଁ ଜଷ୍ଟିସ୍ ଜେ.କେ ମାହେଶ୍ୱରୀ ଏବଂ ଜଷ୍ଟିସ୍ ଅତୁଲ ଏସ.ଚନ୍ଦୁକରଙ୍କ ବେଞ୍ଚ ବିରକ୍ତି ପ୍ରକାଶ ସହ ଭର୍ତ୍ସନା କରିଥିଲେ । ସ୍ପଷ୍ଟତାର ସହ ନିଜର ପକ୍ଷ ରଖିବା ପାଇଁ ସୁପ୍ରିମ୍ କୋର୍ଟ ରାଜ୍ୟ ସରକାରଙ୍କୁ ଆଉ ଗୋଟିଏ ସୁଯୋଗ ଦେଇଛନ୍ତି । ଗତ ୧୯ ତାରିଖରେ ମାମଲାର ଶୁଣାଣି ହୋଇଥିଲା ବେଳେ ସୋମବାର ତାହାର ଅର୍ଡର କପି ଆସିଛି ।
ରାଜ୍ୟ ସରକାରୀ କର୍ମଚାରୀଙ୍କ ସଂଶୋଧିତ ଆସ୍ୟୁରଡ କ୍ୟାରିୟର ପ୍ରୋଗେସନ୍ ସ୍କିମ୍(ଆରଏସିପି)କୁ ନେଇ ଉପୁଜିଥିବା ବିବାଦ ସୁପ୍ରିମ୍ କୋର୍ଟକୁ ଯାଇଛି । ପୂର୍ବରୁ ରାଜ୍ୟ ସରକାର ହାଇକୋର୍ଟରେ ଏହି ମାମଲା ହାରିଛନ୍ତି । ୨୬.୦୭.୨୦୨୨ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମ୍ କୋର୍ଟରେ ସ୍ପେଶାଲ୍ ଲିଭ୍ ପିଟିସନ୍ ଦାଖଲ ହୋଇଛି । ଗତ ୧୯ ତାରିଖରେ ମାମଲାର ଶୁଣାଣି ହୋଇଥିଲା । ଆସ୍ୟୁରଡ କ୍ୟାରିୟର ପ୍ରୋଗେସନ୍ ସ୍କିମ୍(ଏସିପି)ରେ ସରକାରୀ କର୍ମଚାରୀଙ୍କ ନିମନ୍ତେ ଆର୍ଥିକ ପ୍ରୋତ୍ସାହନର ସମୟ ବ୍ୟବଧାନ ୧୫ ବର୍ଷ ଏବଂ ୩୦ ବର୍ଷ ଥିଲା ବେଳେ ସେମାନଙ୍କର ପେ ସ୍କେଲ୍ ଏବଂ ଗ୍ରେଡ୍ ପେ ଏବଂ ସଂଶୋଧିତ ଆସ୍ୟୁରଡ କ୍ୟାରିୟର ପ୍ରୋଗେସନ୍ ସ୍କିମ୍(ଆରଏସିପି)ରେ ସେମାନଙ୍କର ପେ ସ୍କେଲ୍ ଏବଂ ଗ୍ରେଡ୍ ର ପରିବର୍ତ୍ତନ ସଂକ୍ରାନ୍ତରେ ସୁପ୍ରିମ କୋର୍ଟ ଜାଣିବାକୁ ଚାହିଁଥିଲେ । ମାତ୍ର ଆଡଭୋକେଟ୍ ଜେନେରାଲ୍ ଶ୍ରୀ ଆଚାର୍ଯ୍ୟ ଏହା ଉପରେ କୌଣସି ସ୍ପଷ୍ଟତା ଦେଇପାରି ନ ଥିଲେ । ଦୀର୍ଘ ୧ ଘଣ୍ଟା ଧରି ତାଙ୍କର ଯୁକ୍ତି ଶୁଣିବା ପରେ ବିଚାରପତି ଜଷ୍ଟିସ୍ ଜେ.କେ ମାହେଶ୍ୱରୀ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ନିୟମରେ ଅସଙ୍ଗତି ଦର୍ଶାଇ ପ୍ରତିବାଦୀଙ୍କ ଓକିଲଙ୍କ ବଳିଷ୍ଠ ଯୁକ୍ତିକୁ ସୁପ୍ରିମ୍ କୋର୍ଟ ଗ୍ରହଣ କରିଥିଲେ । କିଛି ସମାନ ମାମଲାରେ ହାଇକୋର୍ଟଙ୍କ ରାୟଙ୍କୁ ରାଜ୍ୟ ସରକାର ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ ନ କରି ଆରଏସିପି ନିୟମ,୨୦୦୮ ଅନୁଯାୟୀ ସୁବିଧା ମଞ୍ଜୁର କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଦୋମୁହାଁ ନୀତିକୁ ପ୍ରଶ୍ନ କରି ବିରକ୍ତି ପ୍ରକାଶ କରିଥିଲେ ସୁପ୍ରିମ୍ କୋର୍ଟ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଦାଏର ସ୍ପେଶାଲ୍ ଲିଭ ପିଟିସନ୍ ଗୁଡ଼ିକର ଖାରଜ ପାଇଁ ଆବଶ୍ୟକ କାଗଜପତ୍ର ମାସେ ମଧ୍ୟରେ ଦାଖଲ କରିବାକୁ ପ୍ରତିବାଦୀଙ୍କୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ତାହାର ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଜବାବ ରଖିବାକୁ କୁହାଯାଇଛି ।
ଅଗଷ୍ଟ ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସୂଚନାଥାଉକି, ଏହି ମାମଲାରେ ରାଜ୍ୟ ସରକାର ହାରିଲେ ବର୍ଷକୁ ୧୭ ହଜାର କୋଟି ଟଙ୍କାର ବୋଝ ବୋହିବାକୁ ପଡ଼ିବ । ଏହା ସତ୍ତ୍ୱେ ସରକାରଙ୍କ ପକ୍ଷରୁ ମାମଲାର ଦୁର୍ବଳ ପରିଚାଳନାକୁ ନେଇ ସୁପ୍ରିମ୍ କୋର୍ଟରେ ଥିବା ଓଡ଼ିଆ ଓକିଲଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।