ଭୁବନେଶ୍ୱର: ରାଜ୍ୟରେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ରେକର୍ଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଫସଲ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ସେମାନଙ୍କୁ ୧୧୧ କୋଟି ଟଙ୍କାର ସହାୟତା ଦିଆଯିବ । ଏଥିରେ ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ । ସେମାନଙ୍କ ମଧ୍ୟରୁ ୭.୭୫ ଲକ୍ଷ କେନ୍ଦୁପତ୍ର ତୋଳାଳି ଏବଂ ୪୦ ହଜାର ବନ୍ଧାଳି ଓ ସିଜିନାଲ୍ ଷ୍ଟାଫ୍ ଙ୍କୁ ଏହି ସହାୟତା ମିଳିବ ।
ପ୍ରତ୍ୟେକ ତୋଳାଳିଙ୍କୁ ୧ ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ପାଣିବୋତଲ ଓ ଚପଲ ପାଇଁ ଯଥାକ୍ରମେ ୨୦୦ ଟଙ୍କା ଓ ୧୬୦ ଟଙ୍କା ମିଳିବ । ସେହିପରି ପ୍ରତ୍ୟେକ ବନ୍ଧାଳି ଓ ସିଜିନାଲ୍ ଷ୍ଟାଫ୍ ଙ୍କୁ ୧୫୦୦ ଟଙ୍କା ମିଳିବ ।
ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି । ଦୁଇଟି ପର୍ଯ୍ୟାୟକୁ ମିଶାଇ କେନ୍ଦୁପତ୍ର ତୋଳାଳିମାନେ ୧୯୪ କୋଟି ସହାୟତା ପାଇବେ । ଗୋଟିଏ ଫସଲ ବର୍ଷରେ ଏହା ଏକ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି ।
କେନ୍ଦୁପତ୍ର ସଂଗ୍ରହ ହେଉଥିବା ରାଜ୍ୟର ୨୨ଟି ଜିଲ୍ଲା ମଧ୍ୟରୁ ଝାରସୁଗୁଡା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାର ହିତାଧିକାରୀମାନେ ଏହି ସହାୟତା ପାଇବେ । ନିର୍ବାଚନ ଆଚରଣ ବିଧି ଉଠିବା ପରେ ଝାରସୁଗୁଡାର ହିତାଧିକାରୀମାନଙ୍କୁ ଏହି ସହାୟତା ମିଳିବ।
ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀ ମାନଙ୍କୁ ୮୩ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କେନ୍ଦୁପତ୍ର ହିତାଧିକାରୀ ମାନେ, ଯେଉଁମାନେ କି ମୁଖ୍ୟତଃ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି, ସେମାନଙ୍କ ଜୀବନଧାରଣ ମାନର ଉନ୍ନତିରେ ଏହି ଘୋଷଣା ସହାୟକ ହେବ।