ଭୁୁବନେଶ୍ୱର: ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତ ଅଧିବେସନ ଡିସେମ୍ବର ୩୧ ଯାଏଁ ଚାଲିଥାଆନ୍ତା । ଏହି ସମୟରେ ୩୦ଟି କାର୍ଯ୍ୟଦିବସ ସ୍ଥିର ହୋଇଥିଲା । ମାତ୍ର ୧୦ ଦିନ ଚାଲିବା ପରେ ଆଜି ଗୃହକୁ ବନ୍ଦ କରିଦିଆଯାଇଛି । ବିରୋଧୀଙ୍କ ନାରାବାଜି ଓ ହଟ୍ଟଗୋଳ ମଧ୍ୟରେ ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍ ପାରିତ ହେବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ପୁରୀ ହାଜତ ମୃତ୍ୟୁ ଏବଂ ପରେ ନୟାଗଡ଼ ପରୀ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳର ତମ୍ବିତୋଫାନ ଯୋଗୁଁ ଏଥର ବିଧାନସଭା ଅଚଳ ହୋଇଯାଇଥିଲା । ପରୀ ମୃତ୍ୟୁ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଏବଂ ମାମଲାର ସିବିଆଇ ତଦନ୍ତ ଦାବିରେ ବିରୋଧୀ ଦଳ ଗୃହରେ କମ୍ପମାନ କରିବାରୁ ଲଗାତର ୪ ଦିନ ଧରି ଗୃହ କାର୍ଯ୍ୟ ସମ୍ଭବ ହୋଇ ନ ଥିଲା । ଫଳରେ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ବିନା ଆଲୋଚନାରେ ପାରିତ ହୋଇଥିଲା ।
ଆଜି ୧୧ ହଜାର ୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଂଜୁରୀ ଗୃହରେ ପାରିତ ହେବା ପରେ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଆଉ କାର୍ଯ୍ୟ ବାକି ନାହିଁ ବୋଲି ବାଚସ୍ପତିଙ୍କ ଦୃଷ୍ଟିକୁ ଆଣି ବିଧାନସଭା ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ । ବିରୋଧୀ ସଭ୍ୟଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଏହି ପ୍ରସ୍ତାବକୁ ଗୃହର ସମର୍ଥନ ମିଳିଥିଲା ।
ଚଳିତ ବିଧାନସଭାରେ ସମୁଦାୟ ୧୦ଟି କାର୍ଯ୍ୟଦିବସରୁ ୫ଟି ଥିଲା ସରକାରୀ କାର୍ଯ୍ୟଦିବସ ଏବଂ ଗୋଟିଏ ବେସରକାରୀ ସଭ୍ୟଙ୍କ କାର୍ଯ୍ୟଦିବସ ଥିଲା । ୨ଟି ମୁଲତବୀ ପ୍ରସ୍ତାବ ଆଲୋଚନା ଏବଂ ଗୋଟିଏ ପ୍ରସ୍ତାବ ଆଲୋଚନା ହୋଇଥିଲା ।