ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସାନିଟାଇଜର୍ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଜେଡ଼ି ଜିଦ୍ ଧରିଛି । ଅନ୍ୟପକ୍ଷରେ ବିଜେପି ଏହା ମାନିବାକୁ ନାରାଜ । ବିଜେପି-ବିଜେଡ଼ି ନିଜ ନିଜ ଜିଦ୍ ରେ ଅଟଳ ରହିବା ଯୋଗୁଁ ଲଗାତର ତୃତୀୟ ଦିନ ପାଇଁ ବିଧାନସଭା ଚାଲିପାରିନାହିଁ ।
ପ୍ରସଙ୍ଗକୁ ନେଇ ବିଜେଡ଼ି ବିଧାନସଭା ଭିତରେ ଓ ବାହାରେ ଆକ୍ରମଣାତ୍ମକ ହୋଇଛି । ଦଳୀୟ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ ସ୍ନେହାଙ୍ଗିନୀ ଛୁରିଆ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପିଠାରୁ ଜବାବ ମାଗିଛନ୍ତି । କହିଛନ୍ତି, ଜଣେ ବିଧାୟକ ବିଧାନସଭାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଏହା କେବଳ ଓଡ଼ିଶା ବିଧାନସଭାର ପବିତ୍ରତା, ମର୍ଯ୍ୟାଦା ନଷ୍ଟ କରୁନି ବରଂ ସାରା ରାଜ୍ୟର ଗାରିମା କ୍ଷୂର୍ଣ୍ଣ କରୁଛି ।
ବର୍ତ୍ତମାନର କୋଭିଡ୍ ସମୟରେ ଲୋକମାନେ ଘରେ ଘରେ ସାନିଟାଇଜର୍ ବ୍ୟବହାର କରିବାକୁ ସଚେତନ କରାଯାଉଛି । ମାତ୍ର ଏହି ସାନିଟାଇଜର୍ କୁ ଜଣେ ବିଧାୟକ ବିଧାନସଭାରେ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ନିହାତି ସାଂଘାତିକ ଘଟଣା । ଏହାର ବିପଦପୂର୍ଣ୍ଣ ପ୍ରଭାବ ରହିଛି । ଏହା ସମାଜକୁ ବିପଜ୍ଜନକ ବାର୍ତ୍ତା ଦେବ । ଏହାକୁ ଯେତେ ନିନ୍ଦା କଲେ ବି ଭାଷା ନାହିଁ । ଏ ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ କ’ଣ ବୋଲି ଶ୍ରୀ ନାୟକ ଏବଂ ଶ୍ରୀମତୀ ଛୁରିଆ ପ୍ରଶ୍ନ କରିଥିଲେ ।
ସୂଚନାଥାଉକି, ଗତ ଶୁକ୍ରବାର ଦିନ ବିଧାନସଭାରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ମଣ୍ଡିରୁ ଧାନ ନ ଉଠିଲେ ଆତ୍ମାହୂତି ଦେବେ ବୋଲି ଧମକାଇ ସାନିଟାଇଜର୍ ବୋତଲ ଖୋଲିଥିଲେ । ବିଧାୟକଙ୍କ ଏଭଳି ଆଚରଣକୁ ବିଜେଡ଼ି ତୀବ୍ର ବିରୋଧ କରିଥିଲା । ଗୃହର ମର୍ଯ୍ୟାଦା ତଳେ ପକାଇଥିବା ସୁବାସ କ୍ଷମା ମାଗନ୍ତୁ ବୋଲି ଶନିବାର ଦିନ ବିଜେଡ଼ି ବିଧାୟକମାନେ ଅଡ଼ି ବସିବାରୁ ଗୃହ ଚାଲିପାରି ନ ଥିଲା । ଆଜି ବିଧାନସଭାରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ବିଜେପି ବିଧାୟକ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ପଟରୁ ମଧ୍ୟ ସ୍ୱର ଉଠିଥିଲା ।
ତେବେ ବିଧାୟକ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ ମଧ୍ୟ ବିଧାୟକଙ୍କ ଆଚରଣ ଯଥାର୍ଥ କି ନା ତାହା ସ୍ପଷ୍ଟ କରି ନ ଥିଲେ । ଗୃହ ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡକାଯାଉ ବୋଲି ଓଲଟି ଦାବି କରିଥିଲେ ।
ସେପଟେ ବିଜେଡ଼ି ସାମ୍ବାଦିକ ସମ୍ମିଳନୀକୁ କାଉଣ୍ଟର୍ କରିବାକୁ ଯାଇ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସମର୍ଥନରେ ବାହାରିଛନ୍ତି ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ବିଧାୟକ ଯାହା କରିଛନ୍ତି, ଠିକ୍ କରିଛନ୍ତି । ଚାଷୀଙ୍କ ପାଇଁ ଏଭଳି କରିଥିବାରୁ ଦଳ ତାଙ୍କ ସହ ଅଛି ବୋଲି ସେ ଜଣାଇଛନ୍ତି ।
ତେବେ ଲେଖାଶ୍ରୀଙ୍କ ଏହି ମନ୍ତବ୍ୟ ଦଳୀୟ ନା ବ୍ୟକ୍ତିଗତ ତାହା ଉପରେ ପାଲଟା ପ୍ରଶ୍ନ ପଚାରିଛନ୍ତି ବିଜେଡ଼ି ପାନେଲିଷ୍ଟ୍ ଇପସିତା ସାହୁ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଲେଖାଶ୍ରୀଙ୍କ ମନ୍ତବ୍ୟ ବିଜେପିର ମତ ବୋଲି ଲାଗୁନାହିଁ ବୋଲି ତାତ୍ସଲ୍ୟ କରିଛନ୍ତି । ଦଳରେ ବହୁ ବରିଷ୍ଠ ନେତା ଥାଉ ଥାଉ ଲେଖାଶ୍ରୀଙ୍କ ଭଳି ଜଣେ କନିଷ୍ଠ ନେତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପକ୍ଷ ରଖିବା ଠିକ୍ ଲାଗୁନାହିଁ । ହୁଏତ ସେ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି ଇପସିତା କଟାକ୍ଷ କରିଛନ୍ତି ।