ଭୁୁବନେଶ୍ୱର: ଆସନ୍ତା ନିର୍ବାଚନରେ ଓଡ଼ିଶାକୁ ବିଜେଡିମୁକ୍ତ କରି ବିଜେପିକୁ ଶାସନଗାଦିରେ ବସାଇବା ପାଇଁ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ତଥାକଥିତ ଏହି ସିକ୍ରେଟ୍ ପ୍ଲାନ୍ ହେଉଛି ବୁଥ୍ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ସକ୍ରିୟ କରିବା ଏବଂ ସଂଗଠନ ମଜବୁତ କରିବା । ଏଥିରେ କୌଣସି ନୂତନତ୍ୱ ନ ଥିଲେ ମଧ୍ୟ ଏହାକୁ ଠିକଣା ଭାବରେ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ବଂଶଲ ସହଜ ଢ଼ଙ୍ଗରେ କଠିନ ରାସ୍ତା ଧରାଇଛନ୍ତି । ଭେଦ ବିବାଦ ଭୁଲି ସମସ୍ତେ ଏକଜୁଟ୍ ହୋଇ କାମ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ଆଜି ଅନୁଷ୍ଠିତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ଦିନର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଚଳିତ ମେ’ ୩୦ ତାରିଖରେ ମୋଦୀ ସରକାର ୯ ବର୍ଷ ପୂର୍ଣ୍ଣ କରିବେ । ଏହାକୁ ମାସେ ବ୍ୟାପୀ ଉତ୍ସବ ରୂପେ ପାଳନ କରାଯିବ ଏବଂ ବିଜେଡିମୁକ୍ତ ଓଡ଼ିଶା ପାଇଁ ମୂଳଦୁଆ ପକାଇବାକୁ ଯୋଜନା ହୋଇଛି ।
ମେ’ ୩୦ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ସାରା ରାଜ୍ୟରେ ମହା ଜନସମ୍ପର୍କ ଅଭିଯାନ କରାଯିବ । ବୁଥ୍ ସ୍ତରରୁ ସଂସଦୀୟ କ୍ଷେତ୍ର ପର୍ଯ୍ୟନ୍ତ ୫ ଟି ସ୍ତରରେ ଏହାର ରୂପରେଖ ପ୍ରସ୍ତୁତ ହୋଇଛି । ବୁଥ୍, ଶକ୍ତି କେନ୍ଦ୍ର, ମଣ୍ଡଳ, ବିଧାନସଭା ଏବଂ ଲୋକସଭା କ୍ଷେତ୍ର ଏହି ୫ ଟି ସ୍ତର ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି, କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ଏବଂ ସାଧାରଣ ଜନତାଙ୍କ ସହ ଯୋଡି ହେବ ।
ସଂସଦୀୟ କ୍ଷେତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ସଫଳ ଯୋଜନା ସମ୍ପର୍କରେ ଲୋକଙ୍କୁ ପ୍ରେସମିଟ୍ ଜରିଆରେ ଅବଗତ କରାଯିବ । କେନ୍ଦ୍ର ସରକାରଙ୍କ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ସୋସିଆଲ୍ ମିଡିଆରେ ବ୍ୟାପକ ପ୍ରଚାର କରାଯିବ । ବିଧାନସଭା କ୍ଷେତ୍ର କାର୍ଯ୍ୟକ୍ରମରେ ପୁରୁଖା ନେତାଙ୍କ ପାଇଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେମାନଙ୍କ ପରାମର୍ଶ ଲୋଡାଯିବ । ଦଳର ବିଭିନ୍ନ ମୋର୍ଚ୍ଚା ପକ୍ଷରୁ ବୈଠକର ଆୟୋଜନ କରାଯିବ । ସଂଗଠନ ମଜବୁତ କରିବାକୁ ତଳ ଓ ମଧ୍ୟମ ଶ୍ରେଣୀର ଲୋକଙ୍କୁ ଡାକି ପୃଥକ୍ ସମ୍ମିଳନୀ ମଧ୍ୟ କରାଯିବ ।
ମଣ୍ଡଳ(ଜିଲ୍ଲା ପରିଷଦ)ସ୍ତରରେ ୧ ହଜାର ଲୋକଙ୍କୁ ନେଇ ଗୋଟିଏ ଗୋଟିଏ ସଭା କରାଯିବ । ସେହିଭଳି ଶକ୍ତିକେନ୍ଦ୍ର (ପଞ୍ଚାୟତ) ସ୍ତରରେ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭାର୍ଥୀମାନଙ୍କୁ ନେଇ ବୈଠକ କରାଯିବ ।
ବୁଥ୍ ସ୍ତରକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରତି ବୁଥ୍ କୁ ସଶକ୍ତ ଓ ମଜବୁୂତ କରିବା ପାଇଁ କାର୍ଯ୍ୟକର୍ତ୍ତାମାନେ ଘରକୁ ଘର ବୁଲି ଲୋକଙ୍କ ସହ ସମ୍ପର୍କ ଯୋଡିବେ । କୋଟିଏରୁ ଅଧିକ ପରିବାର ପାଖରେ ପହଞ୍ଚିବାକୁ ଯୋଜନା ହୋଇଛି ।
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଶ୍ରୀ ବଂଶଲଙ୍କ ସମେତ ରାଜ୍ୟ ପ୍ରଭାରୀ ଡି.gପୁରନ୍ଦେଶ୍ୱରୀ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।
କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ରାଜ୍ୟ ପଦାଧିକାରୀଙ୍କ ବୈଠକର ବିଭିନ୍ନ ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ଅପାରଗତା ଓଡ଼ିଶାର ୧ କୋଟି ପରିବାର ନିକଟରେ ପହଞ୍ଚାଇବୁ ବୋଲି ସେ କହିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଉଭୟ ଓଡ଼ିଶାକୁ ବିଜେଡିମୁକ୍ତ କରିବାର ସଂକଳ୍ପ ଦୋହରାଇଥିଲେ ।