ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିରୋଧରେ ଏକ ଚାର୍ଜସିଟ୍ ପ୍ରସ୍ତୁତ କରିଛି ରାଜ୍ୟ ବିଜେପି । ଏହାର ନାଁ ରହିଛି- ୨୫ ବର୍ଷର ପାପ ପେଡ଼ି, କେତେଦିନ ସହିବା, ପରିବର୍ତ୍ତନ ଆଣିବା । କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏହାକୁ ଲୋକାର୍ପଣ କରିଛନ୍ତି ।
ଚାର୍ଜସିଟ୍ ରେ ଦର୍ଶାଯାଇଛି ଯେ, ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ଠିକ୍ ଭାବେ ହୋଇପାରିନାହିଁ । ୩୫% ଜମିକୁ ଜଳସେଚିତ କରାଯିବ ବୋଲି ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ୨୫ ବର୍ଷରେ ବି ପୂରଣ ହୋଇପାରିନାହିଁ । ୩୧୪ ବ୍ଲକ୍ ରେ ଶୀତଳ ଭଣ୍ଡାର ଖୋଲିବାର ପ୍ରତିଶ୍ରୁତି ବି ପାଳନ ହୋଇନାହିଁ । କାଳିଆ ଯୋଜନା ରୂପାୟନରେ ବ୍ୟାପକ ତ୍ରୁଟି ବିଚ୍ୟୁତି ରହିଛି । ଦେଶରେ ଚାଷୀଙ୍କ ହାରାହାରି ରୋଜଗାର ବଢ଼ୁଥିବା ବେଳେ ଓଡ଼ିଶା ପଛରେ ପଡ଼ିଛି ।
ଓଡ଼ିଶାରେ ମହିଳାଙ୍କ ବିରୋଧରେ ଅପରାଧ ବଢ଼ୁଛି । ମହିଳା ବିରୋଧୀ ହିଂସାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ୫ଟି ରାଜ୍ୟ ଭିତରେ ରହିଛି । ବିଜେଡି ସରକାର ଯୁବବର୍ଗଙ୍କୁ ରୋଜଗାର ଦେଇପାରୁନି । ଓଡ଼ିଶାରୁ ଗତବର୍ଷ କେବଳ ୪୦ ହଜାର ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ରାଜ୍ୟରେ ବେରୋଜଗାରୀ ୨୦୧୫-୧୬ ରେ ୩.୮% ଥିବା ବେଳେ ଏବେ ତାହା ୬% ରେ ପହଞ୍ଚିଛି ।
ଶିକ୍ଷା କ୍ଷେତ୍ରରେ ବି ସମାନ ଅବସ୍ଥା । ରାଜ୍ୟରେ ୪,୩୦୦ ଅଧ୍ୟାପକ ପଦବୀ ଖାଲି ଅଛି । ଓଡ଼ିଶାରେ ଏବେ ବି ୬,୪୧୨ ଗାଁରେ ରାସ୍ତା ନାହିଁ । ରାସ୍ତା ଅଭାବରୁ ଅଧିକାଂଶ ଆଦିବାସୀ ଇଲାକାରେ ଆମ୍ବୁଲାନସ୍ ପହଞ୍ଚି ପାରୁନି । ଫଳରେ ମାଇଲ ମାଇଲ ଧରି ରୋଗୀଙ୍କୁ ଖଟିଆରେ ବୁହାଯାଉଛି ।
ଓଡ଼ିଶାରେ ୨୫ ବର୍ଷର ବିଜେଡି ସରକାରରେ ପଞ୍ଚାୟତଠୁ ସଚିବାଳୟ ଯାଏ ବିଭିନ୍ନ ସ୍ତରରେ ହୋଇଥିବା ଦୁର୍ନୀତିକୁ ଚାର୍ଜସିଟ୍ ରେ ସ୍ଥାନ ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବଙ୍କ ସମେତ ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ସଭାପତି ସମୀର ମହାନ୍ତି, ବିଧାୟକ ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।