ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ( ଡିପିଆର)କୁ ଆଜି କ୍ୟାବିନେଟ୍ ମଂଞ୍ଜୁରୀ ମିଳିଛି । ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ କାମ ୪ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ନିମନ୍ତେ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି କାର୍ଯ୍ୟକୁ ଦିଲ୍ଲୀ ମେଟ୍ରୋ ରେଳ ନିଗମ(Turn-key Consultant) ଦ୍ୱାରା ନିର୍ମାଣ କରାଯିବ । ଏଥିପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମର ଦେୟ ୩୨୬ କୋଟି ୫୬ ଲକ୍ଷ ଧାର୍ଯ୍ୟ କରାଯାଇଛି ।
ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ମେଟ୍ରୋ ରେଳ ପ୍ରକଳ୍ପ ସମେତ ମୋଟ ୧୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି ।
୫-ଟି ଅଧୀନରେ ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ଗତ ଏପ୍ରିଲ୍ ୧ ତାରିଖରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ । ଆଜି କ୍ୟାବିନେଟ୍ ରେ ଏହାକୁ ମଂଜୁର ମିଳିବା ପରେ ମେଟ୍ରୋ ରେଳ ସ୍ୱପ୍ନ ସାକାର ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ସରିବାକୁ ଥିବା ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ଦୂରତ୍ୱ ହେଉଛି ୨୬ କିମି । କ୍ୟାପିଟାଲ୍ ହସ୍ପିଟାଲ, ରାଜମହଲ ଛକ, ବାଣୀବିହାର ଛକ, ଜୟଦେବବିହାର ଛକ ଓ ପଟିଆ ଛକ ସମେତ ମୋଟ ୨୦ଟି ମେଟ୍ରୋ ରେଳ ଷ୍ଟେସନ୍ ନିର୍ମାଣ କରାଯିବ ।
ଏହି ପ୍ରକଳ୍ପର ବିଶେଷତ୍ୱ ହେଉଛି, Elevated Viaduct ଉପରେ ସମସ୍ତ ମେଟ୍ରୋ ଧାରଣା ଓ ଷ୍ଟେସନ ରହିବ । ଅତ୍ୟାଧୁନିକ ରେଳ କୋଚ ର ବ୍ୟବହାର କରାଯିବ । ଅତ୍ୟାଧୁନିକ ଟିକେଟ ବ୍ୟବସ୍ଥା ଏବଂ ସିଗନାଲ୍ ବ୍ୟବହାର କରାଯିବ ।