ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ସରକାରୀ ଡାକ୍ତରଖାନାଗୁଡ଼ିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ତଥା ରୋଗୀ ଏବଂ ସେମାନଙ୍କ ପରିଜନଙ୍କ ଡାକ୍ତରଖାନା ରହଣିକୁ ସହଜ କରିବା ପାଇଁ ଏକ ନୂଆ ଯୋଜନା ‘ଆମ ହସ୍ପିଟାଲ୍’ ଆରମ୍ଭ ହୋଇଛି । ୫-ଟି ଅଧୀନରେ ଏହି ୫ ବର୍ଷିଆ( ୨୦୨୩-୨୪ରୁ ୨୦୨୭-୨୮) ରୂପାନ୍ତରିକରଣ ଯୋଜନା ନିମନ୍ତେ ୩୩୮୮ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଖର୍ଚ୍ଚକୁ ଅନୁମୋଦନ ମିଳିଛି । ଏହି ଯୋଜନା ରାଜ୍ୟର ୧୮୫୮ ଟି ଯାକ ସରକାରୀ ଡାକ୍ତରଖାନାରେ କାର୍ଯ୍ୟକାରୀ କରାଯିବ ।
ଆମ ହସ୍ପିଟାଲ୍ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି- ସରକାରୀ ଡାକ୍ତରଖାନାରେ ରୋଗୀଙ୍କର ଚିକିତ୍ସା ନିମନ୍ତେ ଉନ୍ନତମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାର ଉପଲବ୍ଧ କରାଇବା, ରୋଗୀ ଓ ସେମାନଙ୍କର ପରିବାର-ପରିଜନଙ୍କ ପାଇଁ ଆବଶ୍ୟକୀୟ ମୌଳିକ ସୁବିଧାଗୁଡ଼ିକୁ ଉପଲବ୍ଧ କରାଇବା, ଡାକ୍ତରଖାନା ପ୍ରତି ରୋଗୀଙ୍କ ନିର୍ଭରଶୀଳତା ବଢ଼ାଇବା ପାଇଁ ଏକ ସକରାତ୍ମକ ଅଭିଜ୍ଞତା ତଥା ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ସରକାରୀ ଡାକ୍ତରଖାନା ଭିତ୍ତିଭୂମିର ଦୃଢ଼ୀକରଣ କରିବା ।
ଏହି ନୂଆ ଯୋଜନା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବିସ୍ତୃତ ସୂଚନା ଦେଇଛନ୍ତି ।
ସବୁ ସରକାରୀ ଡାକ୍ତରଖାନାର ରୋଗୀ ପ୍ରତୀକ୍ଷା ସ୍ଥାନଗୁଡ଼ିକର ଉନ୍ନତିକରଣ ଓ ସମସ୍ତ ମୌ ଳିକ ସୁବିଧା ଉପଲବ୍ଧ କରାଯିବ । ରୋଗୀଙ୍କୁ ବିନା ମୂଲ୍ୟରେ ଦିଆଯାଉଥିବା ଔଷଧ ବିତରଣ କେନ୍ଦ୍ରରେ କାଉଣ୍ଟର ସଂଖ୍ୟା ବୃଦ୍ଧି କରାଯିବ । ରୋଗୀଙ୍କର ସକରାତ୍ମକ ଅଭିଜ୍ଞତା ପାଇଁ ସ୍ୱଚ୍ଛ ଶୈାଚାଳୟ ସୁନିଶ୍ଚିତ କରାଯିବ । ବିଭିନ୍ନ ବିଭାଗ ମଧ୍ୟରେ ଶୀଘ୍ର ଯୋଗାଯୋଗ ପାଇଁ ଆଭ୍ୟନ୍ତରୀଣ ପକ୍କା ରାସ୍ତା ଓ ଶେଡ୍ ବ୍ୟବସ୍ଥା କରାଯିବ । ରୋଗୀଙ୍କ ସହ ଡାକ୍ତରଖାନା ଆସିଥିବା ଆଟେଣ୍ଟାଣ୍ଟମାନଙ୍କର ରହଣୀର ସୁବିଧା ପାଇଁ ଆଟେଣ୍ଡାଣ୍ଟ ବିଶ୍ରାମ ଗୃହ ତିଆରି କରାଯିବ । ଗାଡ଼ି ଚଳାଚଳକୁ ଶୃଙ୍ଖଳିତ କରାଯିବ ଏବଂ ପାର୍କିଂ ଶେଡ୍ ର ବ୍ୟବସ୍ଥା କରାଯିବ । ସହଜରେ ଜଳଖିଆ ଖାଇବା ନିମନ୍ତେ ଡାକ୍ତରଖାନା ପରିସର ମଧ୍ୟରେ ମିଶନ୍ ଶକ୍ତି କାଫେରେ ଖାଦ୍ୟ ଉପଲବ୍ଧ କରାଯିବ । ରିହାତି ମୂଲ୍ୟରେ ଉତ୍ତମ ଗୁଣମାନ ଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ଡାକ୍ତରଖାନା ପରିସରରେ ଆହାର କେନ୍ଦ୍ର ଖୋଲାଯିବ ।







