ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଢ଼ାଞ୍ଚାରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ଅଧ୍ୟାଦେଶ ଜରିଆରେ ଏହି ନୂଆ ଆଇନର ବ୍ୟବସ୍ଥା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ଅଧ୍ୟାଦେଶକୁ ମଂଜୁର ମିଳିଛି ।
ଶ୍ରୀମନ୍ଦିର ପରିଚାଳନା ପାଇଁ ଯେଭଳି ବ୍ୟବସ୍ଥା ରହିଛି ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଅନୁରୂପ ବ୍ୟବସ୍ଥା ରହିବ । ପୂର୍ବରୁ ଦେବୋତ୍ତର ବିଭାଗ ଅଧିନରେ ଥିଲା ଲିଙ୍ଗରାଜ ମନ୍ଦିରର ପରିଚାଳନା ଦାୟିତ୍ୱ । ମାତ୍ର ଏବେ ସରକାରଙ୍କ ଦ୍ୱାରା ନିଯୁକ୍ତ ମନ୍ଦିର ପ୍ରଶାସକ ଏହାର ମୁଖ୍ୟ ଦାୟିତ୍ୱରେ ରହିବେ । ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ ପରିଚାଳନା କମିଟି ଗଠନ, ସଭ୍ୟ ସଂଖ୍ୟା ବ୍ୟବସ୍ଥା, କମିଟିର ଦାୟିତ୍ୱ ଓ କ୍ଷମତା, ମନ୍ଦିର ସମ୍ପତ୍ତି ସୁରକ୍ଷା ଆଦି ବିସ୍ତୃତ ବ୍ୟବସ୍ଥା ରହିଛି । ଅଧ୍ୟାଦେଶ ଜରିଆରେ ଲାଗୁ ଏହି ଆଇନ ପରବର୍ତ୍ତୀ ସମୟରେ ବିଧାନସଭାର ସ୍ୱୀକୃତି ଲାଭ କରିବ ।
ସୂଚନାଯୋଗ୍ୟ, ଗତ ୨ ତାରିଖରେ ଏକାମ୍ରକ୍ଷେତ୍ରର ବିକାଶ କାର୍ଯ୍ୟ ଅନୁଧ୍ୟାନ କରିବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ଭଳି ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ କରିବାକୁ ମୁଖ୍ୟମନ୍ତ୍ରୀ କଥା ଦେଇଯାଇଥିଲେ । ତେବେ ବିଧାନସଭା ବନ୍ଦ ଥିବାରୁ ମାତ୍ର ୧୨ ଦିନ ମଧ୍ୟରେ ଏହାକୁ ଅଧ୍ୟାଦେଶ ବଳରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିଛନ୍ତି ।
ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ଅଧ୍ୟାଦେଶକୁ କ୍ୟାବିନେଟ୍ ମୋହର ମିଳିବା ପରେ ସମଗ୍ର ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିଥିବାରୁ ସେବାୟତମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ନୂଆ ଆଇନ ଫଳରେ ଲିଙ୍ଗରାଜ ମନ୍ଦିରରେ ପୂର୍ବ ତୁଳନାରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ । ସେବା ଶୃଙ୍ଖଳିତ ହେବ ଏବଂ ସେବାୟତଙ୍କ ରୋଜଗାର ବଢ଼ିବ ବୋଲି ସେମାନେ କହିଛନ୍ତି । ନିଷ୍ପତ୍ତିକୁ ସ୍ୱାଗତ କରି ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି ।