ଭୁବନେଶ୍ୱର: ୨୦୧୩ ବ୍ୟାଚ୍ ର ଆଇପିଏସ୍ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି । ରାଜ୍ୟ ସରକାର ତାଙ୍କର ଇସ୍ତଫା ଗ୍ରହଣ କରି କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ପଠାଇ ଦେଇଛନ୍ତି । ଗୃହ ମନ୍ତ୍ରଣାଳୟର ମୋହର ବାଜିଲା ପରେ ଚାକିରିରୁ ବିଦାୟ ନେବେ ୩୭ ବର୍ଷୀୟ ମୀନା ।
ଗତ ଜୁନ୍ ମାସରେ ଚାକିରିରୁ ଇସ୍ତଫା ଦେଇଥିଲେ ଡିସିପି ଜଗମୋହନ ମୀନା । ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟ ସରକାରଙ୍କ ପାଖକୁ ପଠାଇ ଦେଇଥିଲେ । ମାତ୍ର ସରକାର କୌଣସି ନିଷ୍ପତ୍ତି ନ ନେଇ ତାହାକୁ ପକାଇ ରଖିଥିଲେ । ଅପରପକ୍ଷରେ ମୀନା ତାଙ୍କର ଇସ୍ତଫାକୁ ଗୋପନୀୟ ରଖିଥିଲେ ମଧ୍ୟ ଜୁଲାଇ ପ୍ରଥମ ସପ୍ତାହରେ ଖବର ପ୍ରଘଟ ହୋଇଯାଇଥିଲା । ତତ୍କାଳୀନ ଡିଜିପି ୱାଇ. ବି ଖୁରାନିଆ ଗଣମଧ୍ୟମରେ ଏହାକୁ ସ୍ପଷ୍ଟ କରିଥିଲେ । ପରେ ନିଜେ ଶ୍ରୀ ମୀନା ମଧ୍ୟ ମୁହଁ ଖୋଲିଥିଲେ । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ଗଣମାଧ୍ୟମକୁ କହିଥିଲେ ।
ତେବେ ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା ସହ ତାଙ୍କର ଇସ୍ତଫାକୁ ଯୋଡ଼ି ଚର୍ଚ୍ଚା ହେଉଥିବାରୁ ଶ୍ରୀ ମୀନା ତାହାକୁ ନାପସନ୍ଦ କରିଥିଲେ । ଚାକିରି ଛାଡ଼ିବାକୁ ସେ ଦୀର୍ଘ ଦିନ ତଳୁ ଚିନ୍ତା କରିଥିଲେ । ପରିବାର ଓ ବନ୍ଧୁମାନଙ୍କ ସହ ବିଚାରବିମର୍ଷ କରି ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ । ନିଜ ସମ୍ପର୍କୀୟଙ୍କ ବ୍ୟବସାୟିକ ପ୍ରତିଷ୍ଠାନରେ ଯୋଗଦେବାକୁ ସେ ଆଗ୍ରହୀ ହୋଇ ଆଇପିଏସ୍ ଚାକିରି ଛାଡ଼ିଥିବା କୁହାଯାଉଛି ।
୨୦୧୩ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଜଗମୋହନ ମୀନାଙ୍କ ଘର ରାଜସ୍ଥାନରେ । ଯେ ଜଣେ ଆଇଆଇଟି ଡିଗ୍ରୀ ଧାରୀ । ଗଞ୍ଜାମ ଜିଲ୍ଲାରେ ଟ୍ରେନିଂ ସାରିଲା ପରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏସଡିପିଓ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ମାଲକାନଗିରି, ଅନୁଗୁଳ ଏବଂ ଗଞ୍ଜାମରେ ଏସପି ଭାବେ କାର୍ଯ୍ୟ କରିଥିଲେ । ୨୦୨୪ରେ କଟକ ଡିସିପି ଭାବେ ଯୋଗଦେଇଥିଲେ । ୨୦୨୫ ଫେବ୍ରୁଆରୀରେ ଭୁବନେଶ୍ୱର ଡିସିପି ଭାବେ ବଦଳି ହୋଇ ଆସିଥିଲେ । ସେବେଠାରୁ ସେ ଭୁବନେଶ୍ୱରରେ କାର୍ଯ୍ୟରତ ଅଛନ୍ତି । ଆଉ ମାସ କେଇଟା ପରେ ତାଙ୍କର ଡିଆଇଜି ପାହ୍ୟାକୁ ପଦୋନ୍ନତି ହେବାର ଥିଲା ।