ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନ–୨୦୨୬ କୁ ରଦ୍ଦ କରିବା ଏବଂ ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ସ୍ୱାର୍ଥ ସୁରକ୍ଷିତ ରଖିବା ଦାବିରେ ଇଣ୍ଡିଆ ବ୍ଲକ୍ର ରାଜ୍ୟବ୍ୟାପୀ ମିଳିତ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ର କରିବାକୁ ନିଷ୍ପତ୍ତି ହୋଇଛି । ୮ ସେପ୍ଟେମ୍ବରରେ ଭୁବନେଶ୍ୱରେ ରାଜ୍ୟସ୍ତରୀୟ କନଭେନସନ୍, ୧୩ ସେପ୍ଟେମ୍ବର କେଉଁଝର ଜିଲ୍ଲାରେ, ୧୭ ସେପ୍ଟେମ୍ବର ସୁନ୍ଦରଗଡ଼ ଜିଲ୍ଲାରେ, ୧୯ ସେପ୍ଟେମ୍ବର ଅନୁଗୁଳ ଜିଲ୍ଲାରେ, ୨୧ ସେପ୍ଟେମ୍ବର ରାୟଗଡ଼ା ଜିଲ୍ଲାରେ ବିଶାଳ ଜନ ସମାଵେଶ ସଂଗଠିତ କାରାଯିବ। ୨୯ ସେପ୍ଟେମ୍ବରରେ ଭୁବନେଶ୍ୱରରେ ବିଶାଳ ଜନ ସମାବେଶ ଆୟୋଜନ କରି ବିଧାନସଭା ଘେରାଉ କରିବା ପାଇଁ ଘୋଷଣା କରାଯାଇଛି।
ଏମଏମଡିଆର ସଂଶୋଧନ ଆଇନ ଦ୍ୱାରା ଓଡ଼ିଶା ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଛି । ୧ ଲକ୍ଷ କୋଟିରୁ ଅଧିକ ବକେୟା ରାଜସ୍ୱ ହରାଇବା ସହ ଆଗାମୀ ଦିନରେ ବର୍ଷକୁ ୧୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ଯାଉଛି । ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ଏତେ ବଡ଼ ପ୍ରସଙ୍ଗରେ ରାଜ୍ୟର ଦୁଇ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ସେମାନଙ୍କ ବିରୋଧ ଜାରି ରଖିଛନ୍ତି । କଂଗ୍ରେସ ନେତୃତ୍ୱରେ “ଇଣ୍ଡ’ ମେଣ୍ଟପକ୍ଷରୁ ଗତ ୨୪ ତାରିଖରୁ ରାଜ୍ୟବ୍ୟାପୀ ଜନଜାଗରଣ ଅଭିଯାନ ଆରମ୍ଭ ହୋଇଥିଲା ବେଳେ ବିଜେଡି ରାସ୍ତାକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି । ଏହି କଳା ଆଇନ ରଦ୍ଦ ନ ହେଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ବିଜେଡି ପକ୍ଷରୁ ପୁନର୍ବାର ଚେତାବନୀ ଦିଆଯାଇଛି ।
ଆଜି ଶଙ୍ଖଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦ ଉପରେ ଡବଲ ଇଞ୍ଜିନ ସରକାରର ଲୋଲୁପ ଦୃଷ୍ଟି ପଡ଼ିଛି । ଏମଏମଡିଆର ସଂଶୋଧନ ଆଇନ ଦ୍ୱାରା କେନ୍ଦ୍ର ସରକାର ରାଜ୍ୟର ଖଣି ଗୁଡ଼ିକ ନିଜ ଅଧିନକୁ ନେଇଯାଇଛନ୍ତି । ଏହି ଆଇନ ଯୋଗୁଁ ବାର୍ଷିକ ୧୨,୦୦୦ କୋଟିର ରାଜସ୍ୱ ହରାଇବା ସହ ୧ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ବକେୟା ଟିକସ ଓଡ଼ିଶା ହରାଇବ । ଏହି ଆଇନ ଦ୍ୱାରା ଓଡ଼ିଶା କ୍ଷତି ସହିବ ଜାଣି ମଧ୍ୟ ବିଜେପିର ୨୦ ଲୋକସଭା ଓ ୫ ରାଜ୍ୟସଭା ସାଂସଦ ଏହାକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦଳୀୟ ସ୍ୱାର୍ଥ ପାଇଁ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଭୁଲିଯାଇ ରାଜ୍ୟ ସରକାର ପାଟି ଖୋଲିଲେ ନାହିଁ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ହକ୍ ପାଇଁ ପୂର୍ବରୁ ଅନେକ ଆଇନଗତ ଲଢେଇ କରିଛନ୍ତି । କିନ୍ତୁ ବିଜେପି ସରକାର ତାହା କରିବା ପାଇଁ ସାହାସ ଜୁଟାଇ ପାରୁନାହିଁ । ବିଜେଡି ଶାସନ ସମୟରେ ୨୦୨୧ରୁ ୨୦୨୩ ମଧ୍ୟରେ ବକେୟା ୨୨,୦୦୦ କୋଟି ଟଙ୍କାର ଟିକସ ପାଇଁ ଖଣି ମାଲିକ ମାନଙ୍କୁ ନୋଟିସ କରାଯାଇ ୧୬,୦୦୦ କୋଟି ଟଙ୍କା ଆଦାୟ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ବିଜେପି ସରକାର ତାହା ନକରି କେବଳ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅନୁପାଳନ କରୁଛନ୍ତି । ପଡ଼ୋଶୀ ଝାଡ଼ଖଣ୍ଡ ସରକାର ୪୨,୦୦୦ କୋଟି ଟଙ୍କାର ବକେୟା ଖଣି ଟିକସ ଆଦାୟ କରିଛନ୍ତି । ଖଣି ମାଲିକଙ୍କ ପ୍ରତି ବିଜେପି ସରକାରଙ୍କ ଏତେ ପ୍ରୀତି କ’ଣ ପାଇଁ ? ଡବଲ ଇଞ୍ଜିନ ସରକାର ଉକ୍ତ କଳା ଆଇନ ରଦ୍ଦ ନ କଲେ ଏହା ବିରୁଦ୍ଧରେ ବିଜେଡ଼ିର ଲଢେଇ ଜାରି ରହିବ ବୋଲି ଶ୍ରୀ ନାୟକ କହିଛନ୍ତି ।
ସେପଟେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ ଓଡ଼ିଆ ଅସ୍ମିତା ରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି । ସମଗ୍ର ଦେଶର ୩୩ ରୁ ୩୫% ଲୁହାପଥର କେବଳ ଓଡ଼ିଶାରେ ଅଛି । ପ୍ରତିବର୍ଷ ଭାରତରୁ ଉତ୍ପାଦିତ ଉତ୍ପାଦନ ଓ ରପ୍ତାନି ହେଉଥିବା ୫୦% ଲୁହାପଥର କେବଳ ଓଡ଼ିଶାରୁ ଯାଉଛି । ଭାରତବର୍ଷର ସମୁଦାୟ କ୍ରୋମାଇଟ୍ ଡିପୋଜିଟର ୯୮% ୧୮୮ ମିଲିୟନ ଟନ କେବଳ ଓଡ଼ିଶାରେ ଅଛି । ବକ୍ସାଇଟର ୫୧ ରୁ ୫୯% କେବଳ ଓଡ଼ିଶାରେ ଅଛି । ୧୨୫ ବିଲିଅନ୍ ଟନ୍ ବକ୍ସାଇଟ ଗଚ୍ଛିତ ଅଛି । ତେଣୁ ଓଡ଼ିଶା ରାଜ୍ୟ ସବୁଠାରୁ ଅଧିକ କ୍ଷତିଗସ୍ତ ହେବ । ଏବର୍ଷର ଓଡ଼ିଶା ରାଜ୍ୟର ୩ ଲକ୍ଷ ୧୦ କୋଟି ଟଙ୍କା ବଜେଟର ମୁଖ୍ୟ ଅଂଶ ଓଡ଼ିଶାର ଖଣି ରୟାଲଟି ଓ ଜୋରିମନାର ଆସିଛି । ଏଣୁ ଏହାର ପ୍ରଭାବ ରାଜ୍ୟ ବଜେଟ ଉପରେ ପଡିବ । ଏହି ଆଇନ୍ ପରିବର୍ତନ ନ ହେଲେ ଶ୍ରମିକ କର୍ମଚାରୀ, ଚାଷୀ, ମୂଲିଆ ଖଣିଜ ପ୍ରଧାନ ଯାଜପୁର, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଝାରସୁଗୁଡା, ଅନୁଗୁଳ, ତାଳଚେର, ଢ଼େଙ୍କାନାଳ ଜିଲ୍ଲାମାନଙ୍କରେ ଓଡ଼ିଶା ବନ୍ଦ, ଅର୍ଥନୈତିକ ଅବରୋଧ ଓ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଡ. ଖୁଣ୍ଟିଆ କହିଛନ୍ତି ।
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଇଣ୍ଡିଆ ବ୍ଲକ୍ର ମିଳିତ ବୈଠକରେ ଆଗାମୀ ଦିନର ବିସ୍ତୃତ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଓଡ଼ିଶାର ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ–୨୦୨୬ (ଏମ୍.ଏମ୍.ଡି.ଆର୍. ଆଇନ–୨୦୨୬)କୁ ରଦ୍ଦ କରିବା ଏବଂ ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ସ୍ୱାର୍ଥ ସୁରକ୍ଷିତ ରଖିବା ଦାବିରେ ଇଣ୍ଡିଆ ବ୍ଲକ୍ର ରାଜ୍ୟବ୍ୟାପୀ ମିଳିତ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ର କରିବାକୁ ନିଷ୍ପତ୍ତି ହୋଇଛି । ୮ ସେପ୍ଟେମ୍ବରରେ ଭୁବନେଶ୍ୱରେ ରାଜ୍ୟସ୍ତରୀୟ କନଭେନସନ୍, ୧୩ ସେପ୍ଟେମ୍ବର କେଉଁଝର ଜିଲ୍ଲାରେ, ୧୭ ସେପ୍ଟେମ୍ବର ସୁନ୍ଦରଗଡ଼ ଜିଲ୍ଲାରେ, ୧୯ ସେପ୍ଟେମ୍ବର ଅନୁଗୁଳ ଜିଲ୍ଲାରେ, ୨୧ ସେପ୍ଟେମ୍ବର ରାୟଗଡ଼ା ଜିଲ୍ଲାରେ ବିଶାଳ ଜନ ସମାଵେଶ ସଂଗଠିତ କାରାଯିବ। ୨୯ ସେପ୍ଟେମ୍ବରରେ ଭୁବନେଶ୍ୱରରେ ବିଶାଳ ଜନ ସମାବେଶ ଆୟୋଜନ କରି ବିଧାନସଭା ଘେରାଉ କରିବା ପାଇଁ ଘୋଷଣା କରାଯାଇଛି।
ବୈଠକରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, , ସିପିଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ(ଏମ୍ଏଲ୍) ଲିବରେସନର ରାଜ୍ୟ ନେତା ରାଧାକାନ୍ତ ସେଠୀ, ଫରୱାର୍ଡ ବ୍ଲକ୍ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଏନ୍ସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ରମାକାନ୍ତ ହାତୀ, ଆର୍ଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାରଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ, ସନ୍ତୋଷ ସିଂ ସାଲୁଜା, ଅରବିନ୍ଦ ଦାସ ଏବଂ ବାମପନ୍ଥୀ ନେତା ଯମେଶ୍ୱର ସାମନ୍ତରାୟ, ଜୟନ୍ତ ଦାସ, ବଦ୍ରୀ ନାରାୟଣ ଦାଶ, ବସନ୍ତ ସ୍ୱାଇଁ, ମହେନ୍ଦ୍ର ପରିଡ଼ା, ଉଲ୍ଲାସ ବାରିକଙ୍କ ସମେତ ବିଭିନ୍ନ ଦଳର ନେତାମାନେ ଯୋଗଦେଇଥିଲେ।