ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକରେ ଏ ପର୍ଯ୍ୟନ୍ତ ୨୧୨୫ ତ୍ରୁଟି ଧରାପଡ଼ିଲାଣି । କେବଳ ଅଷ୍ଟମ ଶ୍ରେଣୀରେ ୮୩୯, ସପ୍ତମରେ ୫୭୪ ତ୍ରୁଟି ଦେଖିବାକୁ ମିଳିଛି । ଓଡ଼ିଆ ପିଲାଙ୍କ ବହିକୁ ବିକୃତ କରିଥିବା ଚଣ୍ଡାଳମାନଙ୍କୁ ଖୋଜା ଯାଉଥିବା ବେଳେ ଜଣେ ଅଣଓଡ଼ିଆ ଅନୁଗ୍ରହୀଙ୍କ ସନ୍ଧାନ ମିଳିଛି । ଓଡ଼ିଆ ଅସ୍ମିତାର ତଥାକଥିତ ପ୍ରବଚକ ମୋହନ ସରକାର ଏହି ଅଣଓଡ଼ିଆ ସଂସ୍ଥାକୁ ଓଡ଼ିଆ ପାଠ୍ୟପୁସ୍ତକର ମୁଦ୍ରଣ ପାଇଁ ଠିକା ଦେଇଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଓଡ଼ିଶା ସରକାରଙ୍କଠାରୁ କାମ ପାଇଥିବା ଏହି ସଂସ୍ଥାଟି ଜଣେ କେନ୍ଦ୍ରୀୟ ନେତାଙ୍କ ପୁଅଙ୍କର । ଉତ୍ତରପ୍ରଦେଶରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରେ ସିଂହ ଭାଗ ବହି ଛପା ଯାଇଥିବା ଏହି ସୂତ୍ରରୁ ଜଣାପଡ଼ିଛି ।
ସୂଚନା ମୁତାବକ ଅତି ଯୋଜନାବଦ୍ଧ ଭାବରେ ଏହି କାର୍ଯ୍ୟ ହୋଇଛି । ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ଚଳିତବର୍ଷ ୪୦ ଲକ୍ଷ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନୂତନ ପାଠ୍ୟପୁସ୍ତକ ଯୋଗାଇଦେବାକୁ ୨୦୨୫ ଅକ୍ଟୋବର ମାସରେ ତରବରିଆ ଭାବରେ ନିଷ୍ପତ୍ତି ହୋଇଥିଲା । ହାତରେ କମ୍ ସମୟ ଥିବାରୁ ୩ କୋଟି ରଙ୍ଗୀନ ପାଠ୍ୟପୁସ୍ତକ ଏକା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା(ଟିବିପିଏମ୍)ରେ ପ୍ରକାଶିତ ହୋଇପାରିବ ନାହିଁ ବୋଲି ଆଳ କରାଯାଇଥିଲା । ତେଣୁ ରଙ୍ଗିନ୍ ମୁଦ୍ରଣ କାର୍ଯ୍ୟ କରୁଥିବା ବେସରକାରୀ ପ୍ରେସ୍ କୁ ଦାୟିତ୍ୱ ଦେବାକୁ ଉପରୁ ନିର୍ଦ୍ଦେଶ ଆସିଥିଲା । ଏହି ହିସାବରେ ବେସରକାରୀ ପ୍ରେସ୍ କୁ ଆଉଟସୋର୍ସ କରାଯାଇଥିଲା ।
ପାଠ୍ୟପୁସ୍ତକ ଆଉଟସୋର୍ସିଂ ବାବଦରେ ୧୬୫ କୋଟି ଟଙ୍କା ବ୍ୟୟ ହୋଇଥିବା ଅଭିଯୋଗ ହୋଇଥିଲା । ମାତ୍ର ଟିବିପିଏମ୍ ଏହାକୁ ଖଣ୍ଡନ କରିଛି । ଆଉଟସୋର୍ସିଂ ବାବଦରେ ମାତ୍ର ୨୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସଫେଇ ଦିଆଯାଇଛି । ମାତ୍ର ଆଉଟସୋର୍ସିଂ କାମ କେଉଁ ସଂସ୍ଥା ନେଇଥିଲା ତାହା ଗୋପନ ରଖାଯାଇଛି । ଗୁମର ଖୋଲିଗଲେ ଅଡୁଆ ହୋଇଯିବ ବୋଲି କାହାର ସାହାସ ପାଉନାହିଁ ।
ଓଡ଼ିଆ ବହିର ମୁଦ୍ରଣ କାମ ନେଇଥିବା ସଂପୃକ୍ତ ସଂସ୍ଥା ଜଣେ ପ୍ରଭାବଶାଳୀ କେନ୍ଦ୍ରୀୟ ନେତାଙ୍କ ପୁଅଙ୍କର କି ନାଁ ରାଜ୍ୟ ସରକାର ତାହାର ସ୍ପଷ୍ଟୀକରଣ ନିହାତି ଦେବା ଦରକାର । ସଂପୃକ୍ତ ସଂସ୍ଥାକୁ କିଭଳି ଚୟନ କରାଯାଇଥିଲା ତାହାର ମଧ୍ୟ ଉତ୍ତର ଦେବା ଦରକାର ବୋଲି ଅଭିଭାବକ ମହଲରୁ ଦାବି ହୋଇଛି । କାରଣ ଏହା ୪୦ ଲକ୍ଷ ଓଡ଼ିଆ ପିଲାଙ୍କ ଭବିଷ୍ୟତର କଥା ।





