ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ବିଲ୍ ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସରକାର ରାଜି ନାହାନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆଜି ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି । ବିରୋଧୀ ଦଳର ଦାବି ଉପରେ ସେ କହିଛନ୍ତି ଯେ ଆସନ୍ତା ମୌସୁମୀ ଅଧିବେଶନରେ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ରାଜି ଅଛନ୍ତି । ତେଣୁ ମୌସୁମୀ ଅଧିବେଶନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ପ୍ରସ୍ତାବକୁ ମନ୍ତ୍ରୀ ମହାଲିଙ୍ଗଙ୍କ ଅଗ୍ରାହ୍ୟ ପରେ ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ । ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ସନ୍ତୋଷ ସିଂହ ସାଲୁଜା ଏବଂ କଂଗ୍ରେସ ମୁଖ୍ୟ ସଚେତକ ଡ. ରାଜେନ୍ ଏକ୍କା ଆଜି ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଦୁର୍ଭାଗ୍ୟଜନକ କହି ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ନିନ୍ଦା କରିଛନ୍ତି । ଓଡ଼ିଆ ଅସ୍ମିତା ନାମରେ ଶାସନକୁ ଆସି ରାଜ୍ୟ ସରକାର ଓଡ଼ିଶାର ସମସ୍ତ ଧନ ସମ୍ପତ୍ତି, ଜଳ, ଜଙ୍ଗଲ, ଜମି, ଖଣି ଖାଦାନ ଇତ୍ୟାଦି କେନ୍ଦ୍ର ସରକାର ହାତରେ ଟେକି ଦେଉଛନ୍ତି । କଂଗ୍ରେସ ଏହାକୁ ବିରୋଧ ଜାରି ରଖିବ । ଏମଏମଡିଆର ବିଲ୍ କୁ ବିରୋଧ କରିବାକୁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ସରିଛି । ରାଜଧାନୀରୁ ପଞ୍ଚାୟତ ପର୍ଯ୍ୟନ୍ତ ଧାରଣା, ବିକ୍ଷୋଭ ପ୍ରଦର୍ଶନ ଏବଂ ସାଂସଦମାନଙ୍କ ଘର ଘେରାଉ କରାଯିବ ବୋଲି ସାଲୁଜା କହିଥିଲେ ।
ଏହା ପୂର୍ବରୁ ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ଡ. ହରିବାବୁ କଟମ୍ବପଟି ଏବଂ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଭେଟି ବିଧାନସଭାର ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ଦାବି କରିଥିଲେ । ଏହାପୂର୍ବରୁ ଅଗଷ୍ଟ ୧୩ରେ ସଂସଦର ଉଭୟ ସଦନରେ ଏମଏମଡିଆର ସଂଶୋଧନ ବିଲ୍ ପାରିତ ହେଲା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଓଡ଼ିଶାର ପ୍ରଭୂତ କ୍ଷତି ହେଉଥିବାରୁ ଏ ସମ୍ପର୍କରେ ଆଲୋଚନା ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ।
ଓଡ଼ିଶାକୁ ଦୁର୍ବଳ କରିବାକୁ ଚାଲିଥିବା ଏହି ଭୟଙ୍କର ଚକ୍ରାନ୍ତକୁ ଓଡ଼ିଶାବାସୀ କେବେ ବରଦାସ୍ତ କରିବେନି ବୋଲି ନବୀନ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ । ଏ ମାଟି ଆମର । ଏ ଖଣି ଆମର । ଆମ ଅଧିକାରର ସୁରକ୍ଷା ପାଇଁ ମୁଁ ଲଢ଼ିବି । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ମୋର ଲଢ଼େଇ ଜାରି ରହିବ । ଏହି ଲଢ଼େଇରେ ଓଡ଼ିଶାବାସୀ ସାମିଲ ହେବାକୁ ସେ ନିବେଦନ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶା ବିଜେପି ପକ୍ଷରୁ ବିଲ୍ ସପକ୍ଷରେ ଯୁକ୍ତି ବାଢ଼ିବା ପରେ ଏହା ଉପରେ ଖୋଲା ବିତର୍କ ପାଇଁ ବିଜେଡି ପକ୍ଷରୁ ଆହ୍ୱାନ ଦିଆଯାଇଛି । ବିଲ୍ ପ୍ରତ୍ୟାହାର ଦାବିରେ ବ୍ୟାପକ ଜନଆନ୍ଦୋଳନ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଚାଲିଛି ।
କଂଗ୍ରେସ ନେତୃତ୍ୱରେ “ଇଣ୍ଡି’ ବ୍ଲକ୍ ପକ୍ଷରୁ ୨୪ରୁ ୯ ତାରିଖ ଯାଏଁ ରାଜ୍ୟବ୍ୟାପୀ ଜନଜାଗରଣ ଅଭିଯାନ କରାଯିବ । ୨୫ ତାରିଖରେ କଂଗ୍ରେସ ସବୁ ଜିଲ୍ଲାରେ ପ୍ରତିରୋଧ ଦିବସ ପାଳନ କରିବ ।